୨୪ରୁ ଆଉଟସୋର୍ସିଂ କର୍ମଚାରୀଙ୍କ ହରତାଳ
ପୁରୀ: ସରକାରୀ ଦପ୍ତରମାନଙ୍କରେ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ନଦେଇ ଏଜେନ୍ସି ମାଧ୍ୟମରେ ଠିକା କର୍ମଚାରୀ ନିଯୁକ୍ତିକୁ ପୁରୀ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ସରକାର ସ୍ଥାୟୀ ନିଯୁକ୍ତି ଦେଉନାହାନ୍ତି । ପ୍ରାୟ ୧୫ବର୍ଷ ଧରି କର୍ମଚାରୀମାନେ ଆଉଟସୋର୍ସିଂ ଭାବେ କାମ କଲାପରେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁନାହିଁ । କେତେକ ବିଭାଗରେ ବେଆଇନ ଭାବେ ଠିକା ସଂସ୍ଥା କର୍ମଚାରୀମାନଙ୍କୁ ଛଟେଇ କରୁଛି । ସ୍ୱାସ୍ଥ୍ୟ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ୟ ହଜାର ହଜାର ପଦବୀ ଖାଲି ପଡ଼ିଛି । ଅଫିସର ଓ ଠିକା ସଂସ୍ଥାମାନଙ୍କ ମଧୁଚନ୍ଦ୍ରିକାର ଶୋଷିତ ହେଉଛନ୍ତି ଠିକା କର୍ମଚାରୀ ବୋଲି ଗୁରୁତର ଅଭିଯୋଗ କରାଯିବା ସହ ଆଜି ସଂଘ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ମେଡ଼ିକାଲ ଠିକା କର୍ମଚାରୀ ସଂଘର ସଭାପତି ତଥା ସିଆଇଟିୟୁ ଜିଲ୍ଳା ସଂପାଦକ ଶରତ କୁମାର ରାୟଗୁରୁ ଏକ ପ୍ରତିବାଦ ସଭାରେ ଯୋଗଦେଇ କହିଥିଲେ ଯେ ଆଉଟସୋର୍ସିଂ ଏକ ଘୃଣ୍ୟ ପ୍ରଥା । ତାହାକୁ ଉଚ୍ଛେଦ ନକରି ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ୧୦ହଜାର, ୧୨ହଜାର ଟଙ୍କାରେ ସରକାର ଖଟଉଛନ୍ତି । ସମାନ କାମକୁ ସମାନ ଦରମା ପାଇଁ ସୁପ୍ରିମକୋର୍ଟ ରାୟ ଦେଇଥିଲେ ମଧ୍ୟ ସରକାର ନିଷ୍ପତ୍ତି ବଦଳାଉନାହାନ୍ତି । ଏହାର ପ୍ରତିବାଦ କରି ଆସନ୍ତା ୧୭ ତାରିଖ ଠାରୁ ଜିଲ୍ଳାର ସମସ୍ତ କାର୍ଯ୍ୟାଳୟରେ କର୍ମଚାରୀମାନେ କର୍ମକ୍ଷେତ୍ରରେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ସରକାର ଦାବି ପୂରଣ ନକଲେ ଆସନ୍ତା ୨୪ ତାରିଖରୁ ହରତାଳ କରାଯିବ । ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଦୀପକ ପାଣି, ବିଶ୍ୱରଂଜନ, ଅନୀଲ ସୁବୁଦ୍ଧି, ତ୍ରିନାଥ ଭୋଇ, ମଧୁ ସାହୁ, ଦୀପକ ମହାନ୍ତି, ଅଭିମନୁ୍ୟ ସାହୁ, ଦୀପକ ଗୋଚ୍ଛାୟତ, ବିଶ୍ୱଜିତ୍ ସେଠୀ ଓ ଶଙ୍କର ବେହେରା ପ୍ରମୁଖ ଯେଗାଦାନ କରି ଆଉଟସୋର୍ସିଂ ଉଚ୍ଛେଦ, ଛଟେଇ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି, ଖାଲି ପଡ଼ିଥିବା ସରକାରୀ ପଦବୀରେ ସ୍ଥାୟୀ ନିଯୁକ୍ତି, ଇପିଏଫ ଓ ଇଏସ୍ଆଇ ସହ ୩୦ ଦିନର ଦରମା ଦିଆଯିବା ପାଇଁ ଦାବି କରିଥିଲେ ।