ଟ୍ରକ ଡ୍ରାଇଭରଙ୍କୁ ବଟି ମାଗିବା ଘଟଣା; ଅଭିଯୁକ୍ତ ଗିରଫ


 ଜଟଣୀ  : ଆପ୍ଟିଭାଲ ହେଲଥ ସଲୁ୍ୟସନ୍ ପ୍ରାଇଭେଟ ଲିମିଟେଡ କମ୍ପାନୀର ଔଷଧ ବୋଝେଇ ଟ୍ରକ ଡ୍ରାଇଭରକୁ ଗାଡ଼ି ଅଟକାଇ ଦାଦାବଟି ମାଗିବା ଅଭିଯୋଗରେ ଜଟଣୀ ଥାନା ପୁଲିସ ବର୍ଷେ ପୂରିବାକୁ ଯାଉଥିବା ବେଳେ ଦ୍ୱିତୀୟ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି  । ସୂଚନାଯୋଗ୍ୟ ଯେ ଗତ ୨୦୨୪ ମସିହା ମାର୍ଚ୍ଚ ମାସ ୨୧ ତାରିଖ ଦିନ ହାଇଦ୍ରାବାଦରୁ ଏକ ଟ୍ରକ ମେଡିସିନ ନେଇ ଜଟଣୀ ହୋଇ ଭୁବନେଶ୍ୱର ଏକ ଗୋଦାମକୁ ଆସୁଥିବା ବେଳେ ସ୍ଥାନୀୟ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ନିକଟରେ ଦୁଇଜଣ ଅଭିଯୁକ୍ତ ଏକ ମୋଟରସାଇକେଲରେ ଆସି ଟ୍ରକକୁ ରାସ୍ତାରେ ଜୋରଜବରଦସ୍ତ ଅଟକାଇବା ସହିତ ଚାଳକଙ୍କୁ ୧୦ ହଜାର ଟଙ୍କା ବଟି ମାଗିଥିଲେ  । ଟ୍ରକ ଚାଳକ ଟଙ୍କା ଦେବା ଲାଗି ମନା କରିବାରୁ ଉଭୟ ଅଭିଯୁକ୍ତ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ଜୀବନରୁ ମାରିଦେବା ଲାଗି ଧମକ ଦେଇଥିଲେ ଓ ଚାଳକଙ୍କ ନିକଟରେ ଥିବା ମନିପର୍ସ ବଳପୂର୍ବକ ଛଡାଇ ନେଇଯାଇଥିଲେ, ଯେଉଁଥିରେ କି  ୩ ହଜାର ଟଙ୍କା, ଏକ ଆଧାରକାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି ଥିଲା  । ଏନେଇ ଜଟଣୀ ଥାନାରେ ଅଭିଯୋଗ ହେବା ପରେ, ପୁଲିସ ୧୧୭/୨୪ରେ ଏକ ମାମଲା ରୁଜୁକରି ତଦନ୍ତ କରିବା ସହ ୨୨ ତାରିଖ ଦିନ ଅଭିଯୁକ୍ତ ଦିପୁ ବରାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ  । ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଘଟଣାକୁ ବର୍ଷେ ପୂରିବାକୁ ବସିଥିବା ବେଳେ ଷଣ୍ଢପୁର ଭୋଇ ସାହିର ବିଜୟ ବେହେରା (୨୨) ଅଭିଯୁକ୍ତଙ୍କୁ ହନୁମାନ ବାଟିକା ନିକଟରୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ୱୀକାର କରିଥିଲେ  । ପୁଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ତାଙ୍କର ଅନ୍ୟ ସହଯୋଗୀଙ୍କ ସହ ମିଶି ଜଟଣୀ ଓ ଖୋର୍ଦ୍ଧା ଅଞ୍ଚଳକୁ ଆସୁଥିବା ଟ୍ରକ ଗୁଡିକରୁ ଜୋର ଜବରଦସ୍ତ ଦାଦାବଟି ଅଦାୟ କରିଥାନ୍ତି ଏବଂ ଯେଉଁ ମାନେ ଦାଦାବଟି ଦେବା ନିମନ୍ତେ ମନା କରନ୍ତି ସେମାନଙ୍କ ନିକଟରୁ ଜୋର ଜବରଦସ୍ତ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ସବୁକୁ ଛଡାଇ ନିଅନ୍ତି  । ଅଭିଯୁକ୍ତ ବିଜୟଙ୍କ ନାମରେ ପୂର୍ବରୁ ମଧ୍ୟ ଜଟଣୀ ଥାନାରେ ଦୁଇଟି ମାମଲା ରହିଛି  ।