ଦେଶୀ ଚୋରା ମଦ ଜବତ, ୧ ଗିରଫ
ନରସିଂହପୁର: ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରି ବଡମ୍ବା ଟି ସେତୁରୁ ଚୋରା ମଦ ବୋଝେଇ ପିକ୍ ଅଫ୍ ଭ୍ୟାନ୍କୁ ଜବତ କରିବା ସହ ୪୧ ଟି ୩୫ ଲିଟିରିଆ ବ୍ୟାରେଲ ୧୪୩୫ ଲିଟର ଦେଶୀ ଚୋରା ମଦଏହି ଘଟଣାରେ ସମ୍ପୃକ୍ତ ଡ୍ରାଇଭରକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ତିଗିରିଆ ବନମାଳୀପୁର ଗ୍ରାମର ପିଣ୍ଟୁ ରାଉତ (୨୬) । ଆଠଗଡ଼ ତିଗିରିଆ ଅଞ୍ଚଳରୁ ଖୋର୍ଦ୍ଧାକୁ ଦେଶୀ ଚୋରା ମଦ ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଠଗଡ଼ ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀ, ଉପଅଧିକ୍ଷକ ସିଏଚ୍ ତିରୁପତିଙ୍କ ନିଦେ୍ର୍ଦଶରେ ନରସିଂହପୁର ଅବକାରୀ ସବଇନ୍ସପେକ୍ଟର ସନ୍ଧ୍ୟାରାଣୀ ଦାସ, ଏଏସ୍ଆଇ ସୌମ୍ୟ ରଞ୍ଜନ ବେହେରା କନେଷ୍ଟବଳ ଚନ୍ଦନ ସିଂ, ସୁଶୀଲ ଦେହୁରୀ, ମନୋଜ ଖାଲକୋ, ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ ଅବକାରୀ କର୍ମଚାରୀ ଟି ସେତୁ ଉପରେ ପୂର୍ବରୁ ଛକି ରହିଥିଲେ । ଏକ ପିକ୍ ଅଫ୍ ଭ୍ୟାନ୍ରେ ବୋଝେଇ ହୋଇ ଆସୁଥିବା ଗାଡିକୁ ଅବକାରୀ ବିଭାଗ ଜବତ କରିବା ସହ ଡ୍ରାଇଭରକୁ ଗିରଫ ତା ଠାରୁ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି । କିନ୍ତୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଥିଲା । ଗୋଟିଏ ବ୍ୟାରେଲରେ ୩୫ ଲିଟର ଲେଖାଏଁ ହିସାବରେ ୪୧ଟି ବ୍ୟାରେଲରେ ୧୪୩୪ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଛି । ଯାହାର ଆନୁମାନିକ ଦର ୨ ଲକ୍ଷ ୮୭ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୌମ୍ୟ ରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଆଠଗଡ଼ ତିଗିରିଆ ଅଞ୍ଚଳରୁ ନରସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଆଦି ବିଭିନ୍ନ ସ୍ଥାନକୁ ଦେଶୀ ମଦ ଚୋରା ଚାଲାଣ ହେଉଛି । କିଛି ଦିନ ପୂର୍ବରୁ ଆଠଗଡ ତିଗିରିଆ ଅଞ୍ଚଳରୁ ଖୋର୍ଦ୍ଧା ନୟାଗଡକୁ ଚୋରା ଚାଲାଣ ହେଉଥିବା ପ୍ରାୟ ୩ ହଜାର ଲିଟର ଚୋରା ଦେଶୀ ମଦ ଅବକାରୀ ବିଭାଗ ପକ୍ଷରୁ ସେହି ଟି-ସେତୁରୁ ଜବତ କରାଯାଇଛି ।