ପ୍ରଦୀପ ହେଲେ ବିଡି ଶ୍ରମିକ ସଂଘ ସଭାପତି


 ବ୍ରହ୍ମବରଦା : ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତ ହାଟସ୍ଥିତ ଆଞ୍ଚଳିକ ବିଡି ଶ୍ରମିକ ସଂଘର ୪୯ତମ ବାର୍ଷିକୋତ୍ସବ ସଭାପତି  ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଭାବେ ପୁନର୍ବାର ଶ୍ରୀ  ଦାସଙ୍କୁ ମନୋନୀତ କରାଯାଇଛି । ଶ୍ରୀଯୁକ୍ତ ଦାସ ୨୦୧୩ ମସିହାରୁ ଅଦ୍ୟାବଧି ଦୀର୍ଘ ଦ୍ୱାଦଶ ବର୍ଷ ଧରି ସଭାପତି ପଦରେ ଅଳଙ୍କୃତ ହୋଇ ଆସୁଅଛନ୍ତି । ଏହି ଅବସରରେ ଶ୍ରୀଦାସ କହିଥିଲେ କି ବିଡି ଶ୍ରମିକମାନେ କିପରି ଦୀର୍ଘ ବର୍ଷ ହେବ ଅବହେଳିତ ହୋଇ ରହିଛନ୍ତି । ସେମାନଙ୍କର ଥିବା ବିଭିନ୍ନ ଦାବି, ବିଡି ଶ୍ରମିକ ମେଡିକାଲରେ ଡାକ୍ତରଙ୍କ ଅନୁପସ୍ଥିତି ଓ ଦିନରେ ୧୨ଘଣ୍ଟାରୁ ଅଧିକ ପରିଶ୍ରମ କରି ଏକ ହଜାର ବିଡି ବାନ୍ଧିବା ପରେ ସେମାନେ କିପରି ମାତ୍ର ୧୫୦ ଟଙ୍କା ମଜୁରୀ ପାଇ ବହୁ ଦୁଃଖ କଷ୍ଟରେ ନିଜ ପରିବାର ଚଳାଉଛନ୍ତି ସେ ଏହି ପ୍ରସଙ୍ଗକୁ କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି କହିଥିଲେ । ତାସହିତ ସଂଘ ତାଙ୍କ ଉପରେ ଆସ୍ଥା ଓ ଭରସା କରି ପୁନର୍ବାର ସଭାପତି ପଦ ମୁଣ୍ଡାଇବା ପାଇଁ ସୁଯୋଗ ଦେଇଥିବାରୁ ସେ ସମସ୍ତ କର୍ମକର୍ତା ଓ ଆଞ୍ଚଳିକ ବିଡି ଶ୍ରମିକ ସଂଘ ଅଧୀନରେ ଥିବା ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ଗୌତମ ସାମଲ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ସାଧାରଣ ସଂପାଦକ ଧନେଶ୍ୱର ସାହୁ, ଯୁଗ୍ମ ସମ୍ପାଦକ ସୁରେନ୍ଦ୍ର ଦାସ, କୋଷାଧକ୍ଷ ସେକ ଜୁହୁର ମହମ୍ମଦଙ୍କ ସମେତ ଆଖପାଖ ଅଞ୍ଚଳର ଶତାଧିକ ସଭ୍ୟ ଯୋଗ ଦେଇଥିବା ବେଳେ ଉପସଭାପତି ନିରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।