ଲୁଟ ଉଦ୍ୟମ ଫେଲ ମାରିବାରୁ ଗୃହକର୍ତ୍ତାଙ୍କୁ ଲହୁଲୁହାଣ କଲେ ଦୁର୍ବୃତ୍ତ

 ଚଣ୍ଡିଖୋଲ : ରବିବାର ରାତିରେ ବଡ଼ଚଣା ଥାନା ଅଧିନସ୍ଥ ଦେଉଳକୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନାନୁଯାୟୀ ଗ୍ରାମର ଅବସରପ୍ରାପ୍ତ ତହସିଲ କର୍ମଚାରୀ ପବନି ଚରଣ ସାମଲ ଓ ତାଙ୍କ ପରିବାର ଶୋଇଥିବା ସମୟରେ କିଛି ଦୁର୍ବୃତ ଝରକା ଭାଙ୍ଗି ଘରେ ପଶିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଶ୍ରୀ ସାମଲ ଓ ତାଙ୍କ ବଡ଼ପୁଅ ପ୍ରମୋଦ ଉଠି ପଡିବାରୁ ଦୁର୍ବୃତ ସେମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ବାପା ପୁଅ କ୍ଷତାକ୍ତ ହୋଇଛନ୍ତି । ପାଟିଶୁଣି ପାଖ ପଡିଶା ଉଠିଯିବାରୁ ଦୁର୍ବୃତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଶ୍ରୀ ସାମଲ ବଡ଼ଚଣା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ କୌଣସି ସୂଚନା ମିଳିପାରିନାହିଁ । ବଡ଼ଚଣା ଥାନା ପକ୍ଷରୁ ରାତ୍ରି କାଳୀନ ପାଟ୍ରୋଲିଂ କଡାକଡି କରିବାକୁ ଦାବି ହୋଇଛି ।