ଡ୍ରପ୍ ଆଉଟ୍ ସର୍ଭେକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା : ପିଏମ-ଶ୍ରୀ, ଜାତୀୟ ଶିକ୍ଷା ନୀତି ନେଇ ଆଲୋଚନା
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍କୁଲ ଭିତ୍ତିଭୂମିର ଉନ୍ନତିକରଣ, ଜାତୀୟ ପାଠ୍ୟକ୍ରମ ରୂପରେଖ ସହିତ ସମନ୍ୱୟ ରଖି ପାଠ୍ୟପୁସ୍ତକ ଏବଂ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା, ଶିକ୍ଷକଙ୍କ ଦକ୍ଷତା ବିକାଶ, ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟାନ୍ୱୟନ, ପ୍ରଧାନମନ୍ତ୍ରୀ ପୋଷଣ ଏବଂ ସମଗ୍ର ଶିକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରୀୟ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଥିବା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସଚିବ ସଞ୍ଜୟ କୁମାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ, ଓସେପା ରାଜ୍ୟ ପ୍ରକଳ୍ପ ନିଦେ୍ର୍ଦଶିକା ଅନନ୍ୟା ଦାସଙ୍କ ସମେତ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପିଏମ-ପୋଷଣ ନିଦେ୍ର୍ଦଶକ ଅନୁଜ ଦାସ ପଟ୍ଟନାୟକ, ଏସସିଇଆରଟି ନିଦେ୍ର୍ଦଶକ ମନୋଜ କୁମାର ପାଢ଼ୀ, ଉଚ୍ଚ ମାଧ୍ୟମିକ ନିଦେ୍ର୍ଦଶକ ରଘୁରାମ୍ ଆର୍ ଆୟର ପ୍ରମୁଖ ଯୋଗ ଦେଇଥିଲେ ।
ବୈଠକରେ ଓଡ଼ିଶାରେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି । ରାଜ୍ୟରେ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ଶିଶୁ ବାଟିକାର ସୁପରିଚାଳନା, ଜାତୀୟ ପାଠ୍ୟକ୍ରମ ରୂପରେଖର ସମନ୍ୱୟରେ ରାଜ୍ୟ ପାଠ୍ୟକ୍ରମକୁ ବିକଶିତ କରିବା ଏବଂ ଏଥିରେ ସ୍ଥାନୀୟ ପ୍ରାସଙ୍ଗୀକରଣକୁ ପ୍ରାଧାନ୍ୟ ଦେବା ଉଦେ୍ଦଶ୍ୟରେ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଥିବା ନେଇ ଆଲୋଚନା କରାଯାଇଛି । ଶିକ୍ଷା ଭିତ୍ତିଭୂମିର ବିକାଶ, ପିଏମ-ଶ୍ରୀ ଯୋଜନାର ସଫଳ କାର୍ଯ୍ୟକାରିତା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟକୁ ଅଧିକରୁ ଅଧିକ ପିଲାଙ୍କ ନିକଟରେ ପହଞ୍ଚାଇବା, ପ୍ରାକ୍-ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ୱ ଦେବା, ପାଠ୍ୟପୁସ୍ତକ ପ୍ରସ୍ତୁତିରେ ରାଜ୍ୟର ଯୋଗଦାନ, ଆଇସିଟି ଓ ଡିଜିଟାଲ ଶିକ୍ଷାର ପ୍ରସାର, ପ୍ରାଥମିକ ଠାରୁ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ଉନ୍ନୀତ କରି ଅଧିକରୁ ଅଧିକ ସଂଯୁକ୍ତ ବିଦ୍ୟାଳୟ ଗଠନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହ ଚଳିତ ଶିକ୍ଷା ବର୍ଷରୁ ପିଏମ-ପୋଷଣ ସମନ୍ୱୟରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାକୁ ଗ୍ରହଣ କରିଥିବା ନେଇ ସୂଚନା ଦିଆଯାଇଥିଲା । ଏହି ଅବସରରେ ଶ୍ରୀ ପ୍ରଧାନ ରାଜ୍ୟରେ ଶିକ୍ଷାର ସମୃଦ୍ଧ ଯୋଜନା ପ୍ରସ୍ତୁତି ଓ ଡ୍ରପ୍ ଆଉଟ୍ ହାର ରୋକିବା ପାଇଁ ଘରକୁ ଘର ବୁଲି ୦-୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କର ଚାଲିଥିବା ସର୍ବେକ୍ଷଣର ପ୍ରଶଂସା କରିଛନ୍ତି । ଏହି ସର୍ଭେ ଦ୍ୱାରା ପିଲାଙ୍କ ମାତୃଭାଷା ତଥା ଭିନ୍ନକ୍ଷମ ଶିଶୁ ସମ୍ପର୍କିତ ସୂଚନା ମଧ୍ୟ ଉପଲବ୍ଧ ହୋଇପାରିବ ଓ ଆଗାମୀ ବର୍ଷରେ ବିଦ୍ୟାଳୟରେ ନାମ ଲେଖାଇବାକୁ ଥିବା ପିଲାଙ୍କ ସୂଚନା ମିଳିପାରିବ ।