ଦାମୋଦରପୁର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ଦାମୋଦରପୁର ଅଞ୍ଚଳରେ ଘର ବାରଣ୍ଡାରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାରେ ପୁଲିସକୁ ମିଳିଛି ବଡ ସଫଳତା  । ହତ୍ୟାକାରୀ ବାରିପଦା ସଦର ଥାନା ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳର କାର୍ତ୍ତିକେଶ୍ୱର ସିଂ ଓରଫ କାଲୋକୁ ପୁଲିସ ଗିରଫ କରିଛି । ଏନେଇ ବୁଧବାର ବାରିପଦା ସଦର ଥାନାରେ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଦୀପକ କୁମାର ଗୋଛାୟତ ସୂଚନା ଦେଇଛନ୍ତି  । ମୃତ ମହିଳା ଜଣକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ବରଜୁପୁର ଅଞ୍ଚଳର ସମ୍ବାରି ସିଂ । ସେ ପୂର୍ବରୁ ଦୁଇଟି ବିବାହ କରିଥିବା ବେଳେ ତାଙ୍କର ପୁଅ ଓ ଝିଅ ରହିଛି । ତେବେ ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ତାଙ୍କ ଭଉଣୀ ଚାନ୍ଦମଣି ମୁଣ୍ଡାଙ୍କ ପାଖରେ ଦାମୋଦରପୁର ସ୍ଥିତ ଭଡା ଘରେ ରହୁଥିଲେ । ଦୁହେଁ ମଜୁରିଆ ଭାବେ କାର୍ଯ୍ୟ ମଧ୍ୟ କରୁଥିଲେ । ସମ୍ବାରିଙ୍କ କାର୍ତ୍ତିକେଶ୍ୱର ସିଂ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ କୋଣସି କାରଣ ପାଇଁ ଉଭୟଙ୍କ ମଧ୍ୟ ଝଗଡା ହୋଇଥିଲା । ଯାହାକୁ ନେଇ ଗତ ୨୬/୦୩/୨୦୨୫ରେ ସମ୍ବାରିଙ୍କ ଦାମୋଦରପୁର ସ୍ଥିତ ଘରକୁ କାର୍ତ୍ତିକେଶ୍ୱର ସିଂ ଆସିଥିଲା । କୋଣସି ଏକ କଥାକୁ ଉଭୟଙ୍କ ମଧ୍ୟ ବଚସା ହୋଇଥିଲା । ଯାହାକୁ ନେଇ କାର୍ତ୍ତିକେଶ୍ୱର ଏକ ଇଟାରେ ସମ୍ବାରି ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା । ଏହା ଫଳରେ ପ୍ରବଳ ରକ୍ତସ୍ରାବ ହୋଇ ସମ୍ବାରିଙ୍କ ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା । ତାଙ୍କ ଭଉଣୀ ଘରକୁ ଫେରିବା ବେଳକୁ ଘର ବାରଣ୍ଡାରେ ଭଉଣୀ ରକ୍ତାକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାର ଦେଖିଥିଲେ । ଯାହାକୁ ନେଇ ବାରିପଦା ସଦର ଥାନାରେ ଅଭିଯୋଗ କରିଥିଲେ । ସାଇଣ୍ଟିଫିକ ଟିମ ସହାୟତାରେ ବାରିପଦା ସଦର ଥାନା ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ତଦନ୍ତ ସମୟରେ କାର୍ତ୍ତିକେଶ୍ୱର ସମ୍ପୃକ୍ତି ନେଇ ପୁଲିସ ଜାଣିବାକୁ ପାଇଥିଲା ।  କାର୍ତ୍ତିକେଶ୍ୱର ଫେରାର ଥିବା ବେଳେ ବହୁ ଖୋଜାଖୋଜି କରି ତାମିଲନାଡୁରୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି । ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।