ଗ୍ୟାସ ସିଲିଣ୍ଡର ଫାଟି ଭୟାଭୟ ଅଗ୍ନିକାଣ୍ଡ
ବନ୍ତ : ବନ୍ତ ତହସିଲ ଅଧୀନ ଓଡଙ୍ଗ ପଞ୍ଚାୟତ ସରମରା ସାହୁ ସାହିରେ ଗ୍ୟାସ ସିଲିଣ୍ଡର ଫାଟି ଭୟାଭୟ ଅଗ୍ନିକାଣ୍ଡରେ ୬ ଭାଇଙ୍କ ଜଳିଗଲା ୭ ବଖରା ବାସଗୃହ ୪ ଆହତ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତି ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।
ସୂଚନାରୁ ପ୍ରକାଶ ଶନିବାର ରାତ୍ରୀ ପ୍ରାୟ ୧୨ ଟା ସମୟରେ ସମସ୍ତ ପରିବାର ଖାଇସାରି ଶୋଇବାର କିଛି ସମୟ ମଧ୍ୟରେ କୌଣସି କାରଣ ବଶତଃ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟି ନିଆଁ ଆଖି ପିଛୁଳାକେ ସବୁଆଡେ ଖେଳି ଯାଇଥିଲା । ସମସ୍ତ ସଦସ୍ୟ ଶବ୍ଦ ଶୁଣି ବାହାରକୁ ବାହାରିଯାଇଥିବା ବେଳେ, ଆଖି ଆଗରେ ଅନାମ ସାହୁ ହରେକୃଷ୍ଣ ସାହୁ, ସୁଭଦ୍ରା ସାହୁ, କାଳନ୍ଦୀ ସାହୁ, ତିଲୋତ୍ତମା ସାହୁ, ମିନତୀ ସାହୁଙ୍କ ଧାନ ବିକ୍ରି ନଗଦ ପ୍ରାୟ ଲକ୍ଷାଧିକ ଟଙ୍କା, ସୁନା ଗହଣା, ଗାଡି, ସମେତ ସମସ୍ତ ଆସବାପତ୍ର, ଖାଦ୍ୟ ସାମଗ୍ରୀ ସମେତ ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ଗ୍ରାମ ଲୋକ ତୁରନ୍ତ ଆଗରପଡା ଦମକଳକୁ ଖବର ଦେଇଥିଲେ ଦମକଳ ୩୦ ମିନିଟ ରୁ ଉର୍ଦ୍ଧ ବିଳମ୍ବରେ ଆସିବାରୁ ସବୁପୋଡି ପାଇଁଶ ହୋଇଯାଇଥିଲା । ଘରର ସାମଗ୍ରୀ ଉଦ୍ଦାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ହରେକୃଷ୍ଣ ସାହୁ, ମାଗୁଣି ସାହୁ, ଅନାମ ସାହୁ, ହୃଷିକେଶ ସାହୁଙ୍କ ଦେହରେ ଅନେକ ଅଂଶ ପୋଡ଼ିଯାଇଥିବା ବେଳେ ସେମାନଙ୍କୁ ଘଟଣା ସ୍ଥଳରେ ଆଗରପଡା ମେଡିକାଲ ଟିମ ପହଂଚି ସ୍ୱାସ୍ଥ୍ୟ ସେବା ଯୋଗାଇଦେଇଥିଲେ । ଆଜି ଘଟଣା ସ୍ଥଳରେ ବନ୍ତ ବିଡ଼ିଓ ଘଟଣା ବିଷୟରେ ଫୋନ ମାଧ୍ୟମରେ ବୁଝିଥିବା ବେଳେ ତହସିଲଦାର ସାରା ହେମ୍ବ୍ରମ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରି ୬ ଜଣ ପରିବାରକୁ ୪ ଗୋଟି ପଲଥିନ ଯୋଗାଇଦେଇଥିବା ବେଳେ ଅଧ୍ୟବିଧି ୨ ପରିବାର ପଲଥିନ ପାଇବାରୁ ବଞ୍ଚିତ ଅଛନ୍ତି । ବିଜେପି ନେତା ତଥା ତଥା ପ୍ରାକ୍ତନ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳ ପହଂଚି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତଙ୍କୁ କିଛି ଶୁଖିଲା ଖାଦ୍ୟ, ପୋଷାକ ଯୋଗାଇଦେଇଥିବା ବେଳେ ସମସ୍ତେ ତୁରନ୍ତ ସମସ୍ତ ସରକାରୀ ସୁବିଧା ପାଇବେ ସେ ଜିଲ୍ଲାପାଳ ଓ ତହସିଲଦାର ସହିତ କଥାହୋଇ ବ୍ୟବସ୍ତା କରାଇବେ ବୋଲି କହିଥିଲେ । ବିଜେଡି ନେତା ତଥା ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଶିକ୍ଷାବିତ୍ ରମାକାନ୍ତ ରାଉତ, ଭଦ୍ରକ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ହରିହର ନାୟକ, ପ୍ରାକ୍ତନ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ପ୍ରାକ୍ତନ ସରପଞ୍ଚ କିଶୋରକିଙ୍କର ପଢିହାରୀ, ବରିଷ୍ଠ ଉପସଭାପତି ଚିନ୍ମୟ କୁମାର ଦାସ, ରାଜ୍ୟ ଯୁବବିଜେଡି ସାଧାରଣ ସମ୍ପାଦକ ଲାଲା ସ୍ୱାଇଁ ଉପସ୍ଥିତ ସମେତ ସମସ୍ତ ବରିଷ୍ଠ ନେତୃବୃନ୍ଦ ଓ ଗ୍ରାମବାସୀ ତୁରନ୍ତ ଘର ସହିତ ସମସ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି । ସ୍ଥାନୀୟ ସରପଞ୍ଚ ଲଷ୍ମୀପ୍ରିୟା ଦାସ ଘଟଣା ସ୍ଥଳରେ ପହଂଚି ରନ୍ଧା ଖାଦ୍ୟ ଯୋଗାଇଦେଇଛନ୍ତି ।