ବେଆଇନ କେନ୍ଦୁପତ୍ର ଚଢାଉ: ଟ୍ରକ ଜବତ, ଚାଳକ ଗିରଫ

 ଦେବଗଡ : ବେଆଇନ କେନ୍ଦୁପତ୍ର ଚାଲାଣ ବେଳେ ଆଜି ୪୯ ନମ୍ବର ଜାତୀୟ ରାଜପଥର ପୌରାଞ୍ଚଳର ବିର୍ସାମୁଣ୍ଡା ଛକରେ ବନବିଭାଗ ପକ୍ଷରୁ ଚଢଉ କରାଯାଇ ଏକ ଟ୍ରକ ଜବତ କରାଯାଇଛି । ଏହାସହିତ ଉକ୍ତ ଗାଡିର ଚାଳକକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ କୋଲକାତାର ବିଧାନସାରାଣୀ ଅଞ୍ଚଳର ଶିବ ପୂଜନ ନିସଦା(୪୦) । ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଅଞ୍ଚଳରୁ ଏକ ଟ୍ରକ(ଡବ୍ଲୁବି ୧୧ ବି ୯୨୨୩) ଯୋଗେ ଦେବଗଡ ଦେଇ ପଶ୍ଚିମବଙ୍ଗ ଅଭିମୁଖେ ବେଆଇନ ଭାବେ କେନ୍ଦୁପତ୍ର ଚାଲାଣ ହେଉଥିବା ବନବିଭାଗ ବିଶେଷ ସୁତ୍ରରୁ ସୂଚନା ପାଇଥିଲା । ସୂଚନା ପାଇବା ପରେ ବନବିଭାଗର କର୍ମଚାରୀମାନେ ପୌରାଞ୍ଚଳର ବିର୍ସାମୁଣ୍ଡା ଛକରେ ଉକ୍ତ ଟ୍ରକକୁ ଅଟକାଇ ଯାଞ୍ଚÿ କରିଥିଲେ । ଯାଞ୍ଚ ସମୟରେ ବନବିଭାଗର କର୍ମଚାରୀ ଟ୍ରକରୁ ୫୯.୪୩ କୁଇଣ୍ଟାଲ କେନ୍ଦୁପତ୍ର ଜବତ କରିବା ସହ ଟ୍ରକର ଚାଳକକୁ ଗିରଫ କରିଥିଲେ । ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରାଯାଇଛି । ଚଢଉରେ ଭାରପ୍ରାପ୍ତ ଦେବଗଡ ରେଞ୍ଜ ଅଫିସର ଅମୂଲ୍ୟ ସେନାପତି, ଦେବଗଡ ଫରେଷ୍ଟର ପ୍ରିତମ ସାହୁ, ପୂର୍ଣ୍ଣଚନ୍ଦ୍ର ଧଳଙ୍କ ସମେତ ବନବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।