ଏଣିକି ଚାଷୀଙ୍କର ଇ-କେୱାଇସି

 ଭୁବନେଶର: ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ଚାଷୀଙ୍କ ଇ-କେୱାଇସି କରାଯିବ  । ଯାହାଫଳରେ ପଡୋଶୀ ରାଜ୍ୟରୁ ଆସୁଥିବା ଧାନକୁ ରୋକାଯାଇପାରିବ  । ଆମ ରାଜ୍ୟର ପ୍ରକୃତ ହିତାଧିକାରୀ ଉପକୃତ ହୋଇପାରିବେ  । ଏହାବ୍ୟତୀତ ଆଗାମୀ ସମୟରେ ଧାନ କିଣା ନିମନ୍ତେ ନୂତନ ନୀତି ଆସିବ  । ରାଜ୍ୟ ସରକାର ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି  । ରବି ଧାନ ସଂଗ୍ରହ ୨୦୨୪-୨୫ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି  । ଚଳିତ ବର୍ଷ ରବି ଧାନ ଫସଲ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ୧୪ ଲକ୍ଷ ମେଟ୍ରିକ ଟନ୍ ରହିଥିବାବେଳେ ଆଜି ସୁଦ୍ଧା ପ୍ରାୟ ୧୯ ଲକ୍ଷ୍ୟ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇସାରିଛି  । ଚଳିତ ଋତୁରେ ରେକର୍ଡÿ ପରିମାଣର ଧାନ ସଂଗ୍ରହ ହୋଇଛି  । 
ସମ୍ପ୍ରତି ରାଜ୍ୟବାସୀଙ୍କ ନିଜସ୍ୱ ବିନିଯୋଗ ପାଇଁ ୨୭ ଲକ୍ଷ ମେଟ୍ରିକ ଟନର ଚାଉଳ ଆବଶ୍ୟକ ହେଉଛି  । କିନ୍ତୁ ଆମ ରାଜ୍ୟରେ ଚଳିତ ବର୍ଷ ଖରିଫ ଓ ରବି ଧାନକୁ ମିଶାଇ ମୋଟ ୯୩ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଛି  । ସେଥିରୁ ହାରାହାରି ୬୩ ଲକ୍ଷ ମେଟ୍ରିକ ଟନ ଚାଉଳ ପ୍ରସ୍ତୁତ ହେବ  । ବଳକା ଚାଉଳର ସୁପରିଚାଳନା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା  । ଏହି ପରିପ୍ରେକ୍ଷୀରେ ଧାନର କଟା ଅଂଶ ଏବଂ ଭଙ୍ଗା ଚାଉଳକୁ ରାଜ୍ୟରେ ଥିବା ଇଥାନଲ ପ୍ଲାଣ୍ଟକୁ ଦିଆଯାଇ ସେଥିରୁ ୨ଜି ଇଥାନଲ ପ୍ରସ୍ତୁତ କରିବା ବ୍ୟବସ୍ଥା କରାଯାଇଛି  । 
ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସମେତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ ସମୀକ୍ଷା କରିଥିଲେ  । ଖାଦ୍ୟ ଯୋଗାଣ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଯୋଗାଣ ନିଗମ ପରିଚାଳନା ନିଦେ୍ର୍ଦଶକ ସୁଦର୍ଶନ ଚକ୍ରବର୍ତ୍ତୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିଦେ୍ର୍ଦଶକ ଶୁଭମ ସକ୍ସେନା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ବୈଠକରେ ଯୋଗଦେଇଥିଲେ ।