ଧାର ଆକାରରେ ୩୨ ଲକ୍ଷ ଚଳୁ; ଠକ ଗିରଫ
ଭୁବନେଶ୍ୱର : ଅଭିଯୋଗକାରୀ ସରୋଜ କୁମାର ସାହୁଙ୍କ ଅଭିଯୋଗ ଆଧାରରେ ବଡଗଡ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ବରମୁଣ୍ଡା ଅଞ୍ଚଳରେ ପରିବାର ସହ ରୁହନ୍ତି । ଗତ ତା.୨୬.୧୦.୨୦୨୧ ରିଖ ଦିନ ଅଭିଯୁକ୍ତ ଉଦୟନ ଅପରାଜିତ୍ ଅଭିଯୋଗକାରୀଙ୍କୁ ସାକ୍ଷାତ କରି ଷ୍ଟିଲ ପ୍ରୋଜେକ୍ଟ କାର୍ଯ୍ୟର ଉନ୍ନତିକରଣ ଲାଗି ତାଙ୍କ ଠାରୁ ମୋଟ ୩୧ ଲକ୍ଷ ୫୦ ହଜାର ଟଙ୍କା ଧାର ସୂତ୍ରରେ ଆଣିଥିଲେ ଏବଂ ଏନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଏକ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷର ହୋଇଥିଲା । ଏହି ସମୟରେ ନେଇଥିବା ଧାର ଟଙ୍କା ଫେରାଇବା ଲାଗି ଅଭିଯୁକ୍ତ ଉଦୟନ ଅଭିଯୋଗକାରୀଙ୍କୁ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏକ ଚେକ୍ ମଧ୍ୟ ଦେଇଥିଲେ, କିନ୍ତୁ ପର୍ଯ୍ୟାପ୍ତ ଟଙ୍କା ଅଭାବରୁ ତାହା ନାକଚ ହୋଇଯାଇଥିଲା । ଅଭିଯୋଗକାରୀ ଜଣକ ଏକାଧିକ ବାର ଅଭିଯୁକ୍ତଙ୍କୁ ଯୋଗାଯୋଗ କରି ଧାର ଟଙ୍କା ଫେରାଇବା ଲାଗି ଅନୁରୋଧ କରିବାରୁ, ଅଭିଯୁକ୍ତ ଜଣକ ତାଙ୍କୁ ଆଉ କୌଣସି ଟଙ୍କା ଫେରାଇବେ ନାହିଁ ବୋଲି ରୋକଠୋକ ମନା କରିବା ସହ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଅନ୍ୟ କୌଣସି ଉପାୟ ନପାଇ ଅଭିଯୋଗକାରୀ ଶେଷରେ ବଡ଼ଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏନେଇ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢଉ ଜରିଆରେ ଅଭିଯୁକ୍ତ ଉଦୟନଙ୍କୁ ବଡଗଡ କେନାଲ ରୋଡ ନିକଟରୁ କାବୁ କରିବାରେ ସକ୍ଷମ ହୋଇଛି ।