ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଆଇପିଏଲ ଷ୍ଟାର୍‌ ବୈଭବ

ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଆଇପିଏଲ ଷ୍ଟାର୍‌ ବୈଭବ

ଶେଷ ପର୍ଯ୍ୟାୟରେ ଆଇପିଏଲ ୨୦୨୫ । କିଏ ପିନ୍ଧିବ ଏଥର ବିଜୟ ମୁକୁଟ, ଏ ନେଇ ବଢୁଛି ଉତ୍କଣ୍ଠା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫାଇନାଲରେ ପହଞ୍ଚିସାରିଥିବା ବେଳେ, ମୁମ୍ୱାଇ-ପଞ୍ଜାବ ମଧ୍ୟରୁ କିଏ ଫାଇନାଲ ଟିକେଟ୍‌ ପାଇବ, ତାଉପରେ ରହିଛି ସମସ୍ତଙ୍କ ନଜର । ଏଥର ଆଇପିଏଲରେ ଅନେକ ନୂଆ ପ୍ରତିଭା ନିଜ ପ୍ରଦର୍ଶନ ଜରିଆରେ ଚର୍ଚ୍ଚାକୁ ଆସିଛନ୍ତି । ଆଉ ଏହି ତାଲିକାର ଟପ୍‌ରେ କିଏ ବୋଲି ଯଦି ପ୍ରଶ୍ନ କରାଯାଏ ତେବେ ଉତ୍ତରରେ ଯୁବତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ ହିଁ ଆସିବ ।  ମାତ୍ର ୧୪ ବର୍ଷ ବୟସରେ ସର୍ବକନିଷ୍ଠ ଖେଳାଳୀ ଭାବେ ଆଇପିଏଲରେ ପଦାର୍ପଣ କରିବା ଓ ମାତ୍ର ୩୫ଟି ବଲରୁ ଦ୍ରୁତ ଶତକ ହାସଲ କରି ସମସ୍ତଙ୍କ ମନ ଜିଣିନେଇଥିଲେ ବୈଭବ । ଛକା ଚୌକାର ବର୍ଷା କରି ବୋଲରଙ୍କ ହୋସ୍ ଉଡାଇଦେଇଥିଲେ ଏହି ୟଙ୍ଗ ଷ୍ଟାର୍ । ଆଇପିଏଲର ଏହି ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଶୁକ୍ରବାର ଆଉ ଏକ ସ୍ମରଣୀୟ ଦିନ ହୋଇଛି । ପାଟନା ବିମାନବନ୍ଦରରେ ବୈଭବ ଏବଂ ତାଙ୍କ ପରିବାରଲୋକଙ୍କୁ ଭେଟିଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

ସୋସିଆଲ ମିଡିଆ ଏକ୍ସରେ ଫଟୋ ପୋଷ୍ଟ କରି ବୈଭବଙ୍କ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଲେଖିଛନ୍ତି, "ପାଟନା ବିମାନବନ୍ଦରରେ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଓ ତାଙ୍କ ପରିବାରକୁ ଭେଟିଲି । ତାଙ୍କ କ୍ରିକେଟିଂ କ୍ଷମତା ଦେଶବ୍ୟାପୀ ଚର୍ଚ୍ଚାରେ ରହିଛି । ବୈଭବଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।" ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ବୈଭବ ସୂର୍ଯ୍ୟବଂଶୀ । ମୋଦୀଙ୍କ ସହ କରମର୍ଦ୍ଦନ କରିବାର ଫଟୋ ବି ଭାଇରାଲ ହୋଇଛି ।