ଆଦୃତ ହେଉନି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା

 ଖଣ୍ଡପଡ଼ା : ପ୍ରତି ମାସରେ ବିଦୁ୍ୟତ୍ ଦର ହ୍ରାସ ସହ ନିରବଛିନ୍ନ ଭାବେ ବିଦୁ୍ୟତ୍ ସେବା ଉପଲବ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୪ ମସିହା ଫେବୃୟାରୀ ମାସରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପ୍ରଚଳନ କରାଯାଇଥିଲା । ମାତ୍ର ଏହି ଯୋଜନା ଜନସାଧାରଣଙ୍କ ଦ୍ୱାରା ଆଦୃତ ଲାଭ କରି ପାରୁନି । ଫଳରେ କେନ୍ଦ୍ର ସରକାର ଯେଉଁ ମହତ ଉଦେ୍ଦଶ୍ୟ ନେଇ ଏହି ସୁଦୁରପ୍ରସାରୀ ଲୋକହିତକର ଯୋଜନାଟି କାର୍ଯ୍ୟକାରୀ କରିଥିଲେ ତାହା ସଫଳ ହୋଇ ପାରୁନି ।ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବାର ଇତି ମଧ୍ୟରେ ଦେଢ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ଏହି ଯୋଜନାର ସଫଳ ରୁପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସର୍ବସାଧାରଣଙ୍କ ସ୍ୱାର୍ଥ ସାଧନ ନିମନ୍ତେ ଏହି ଯୋଜନାଟି ପ୍ରଣୟନ ହୋଇଥିଲେ ହେଁ ବିଭିନ୍ନ କାରଣକୁ କେନ୍ଦ୍ର କରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଏକ ପ୍ରକାର ଫେଲ ମାରିଛି । ଏହି ଯୋଜନାରେ ହିତାଧିକାରୀଙ୍କୁ ସବ୍ସିଡ ପ୍ରଦାନ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା ରହିଥିବା ବେଳେ, ଏ ନେଇ ସାଧାରଣରେ ସଚେତନତା ସୃଷ୍ଟି ନିମନ୍ତେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଇଥିଲା । ମାତ୍ର ଏହି ଯୋଜନା ପ୍ରତି ଜନସାଧାରଣଙ୍କ ମଧ୍ୟରେ ସେତେଟା ଆଗ୍ରହ କି ଉତ୍ସାହ ନଥିବାରୁ ଉକ୍ତ ଯୋଜନାର ସଫଳତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫଳରେ ଯୋଜନାଟି ଆଉ ଆଗେଇ ପାରୁନଥିବା ବେଳେ, କେବଳ ସରକାରୀ ଫାଇଲରେ ପଡି ରହିଛି । ଖଣ୍ଡପଡ଼ା ସହର ସମେତ ବ୍ଲକ ଅଧିନ ୨୨ଟି ପଞ୍ଚାୟତରେ ଏହି ଯୋଜନାର କାର୍ଯ୍ୟକାରିତା ନେଇ ସାଧାରଣରେ ସନେ୍ଦହ ଜାତ ହୋଇଛି । ଆର୍ଥିକ ସ୍ୱଚ୍ଛଳ ବର୍ଗର ବ୍ୟକ୍ତିଙ୍କୁ ବାଦ ଦେଲେ ଦାରିଦ୍ର୍ୟର ସୀମାରେଖା ତଳେ ବାସ କରୁଥିବା ଓ ମଧ୍ୟବିତ୍ତ ଶ୍ରେଣୀର ପରିବାରବର୍ଗ ପ୍ରଥମେ ଏତେ ପରିମାଣର ଟଙ୍କା ଦେଇ ଏହି ଯୋଜନାରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ତେବେ ସର୍ବସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ସରକାର ଲାଗୁ କରିଥିବା ନୀତି ନିୟମର ସରଳୀକରଣ କରାଗଲେ ଏହା ଜନସାଧାରଣଙ୍କ ଦ୍ୱାରା ଆଦୃତ ଲାଭ କରି ପାରନ୍ତା । ଏଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ଅଞ୍ଚଳବାସୀ ଦାବି କରିଛନ୍ତି ।