ଖାଲି ପଡିଛି ପଦବୀ : ୩ ବର୍ଷ ହେବ ନାହାନ୍ତି ଅଧିକାରୀ
ନାଉଗାଁ: ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇ ସ୍କୁଲଙ୍କ ସଠିକ ପରିଚାଳନା କରିବାପାଇଁ ପ୍ରତି ବ୍ଲକରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଖୋଲିଛନ୍ତି । ଏହି କାର୍ଯ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମି ଓ ପଦପଦବୀର ସମସ୍ୟା ଦେଖିବାକୁ ମିଳିଛି । ଯାହାର ପ୍ରମାଣ ଏବେ ନାଉଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୩ଜଣ ଅତିରିକ୍ତ ଶିକ୍ଷା ଅଧିକାରି ପଦବୀ ଦୀର୍ଘ ୩ ବର୍ଷ ଧରି ଖାଲି ପଡିଥିବାରୁ ବ୍ଲକ ଶିକ୍ଷା ଅଧିକାରୀ ତିନିଜଣଙ୍କ କାର୍ଯ୍ୟ ତୁଲାଉଛନ୍ତି । ଯାହାକୁନେଇ ଜଣେ ମାତ୍ର ଶିକ୍ଷା ଅଧିକାରୀ ତିନିଜଣଙ୍କ କାର୍ଯ୍ୟ କରିବା କେତେ କଷ୍ଟକର ତାହା ସାଧାରଣରେ ଆଲୋଚନା ହେଉଛି । ନାଉଗାଁ ବ୍ଲକର ବିଦ୍ୟାଳୟ ସଂଖ୍ୟା ୮୦ । ଉକ୍ତ ବିଦ୍ୟାଳୟ ଗୁଡିକରେ ପ୍ରାୟ ୪୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଜଣେ ବ୍ଲକ ଶିକ୍ଷା ଅଧିକାରୀ, ୩ ଜଣ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ଜଣେ ମୁଖ୍ୟ କିରାଣୀ ଏବଂ ଦୁଇ ଜଣ କନିଷ୍ଠ କିରାଣୀ ନିଯୁକ୍ତ ପାଇବା କଥା । କିନ୍ତୁ ଜଣେ ବ୍ଲକ ଶିକ୍ଷା ଅଧିକାରୀ ଦୁଇ ଜଣ କନିଷ୍ଠ କିରାଣିରେ କାର୍ଯ୍ୟାଳୟ ଚାଲିଛି । ପ୍ରାୟ ୩ ବର୍ଷ ଧରି ୩ଟି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଏବଂ ମୁଖ୍ୟ କିରାଣୀ ପଦବୀ ଖାଲି ପଡିଛି ।ଯଥାଶୀଘ୍ର ଖାଲି ପଡ଼ିଥିବା ୩ ଜଣ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପଦବୀ ପୂରଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।