ପ୍ରଭୁ ଜଗନ୍ନାଥ ଆମକୁ ଶାସନ କ୍ଷମତାରୁ ହଟାଇଛନ୍ତି:ଅରୁଣ ସାହୁ
ରାୟଗଡ଼ା: ଡବଲ ଇଞ୍ଜିନ୍ ନାରା ଦେଇ ସରକାରକୁ ଆସିଲେ। ଦରଦାମ ନିୟନ୍ତ୍ରଣ, କଟ୍ନିଛଟ୍ନି ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କ୍ଷମତାକୁ ଆସିବାର ୮ମାସ ପରେ ସବୁ ଓଲଟା ହେଉଛି। ଦରଦାମ ବଢ଼ୁଛି, କଟ୍ନିଛଟ୍ନି ବନ୍ଦ ହୋଇନି। ଚାଷୀଙ୍କୁ କେମିତି ଶୋଷଣ କରାଯାଉଛି ଓଡ଼ିଶାବାସୀ ଦେଖୁଛନ୍ତି। ଜନତା ଏହି ସରକାରଙ୍କ ଠାରୁ ନିଶ୍ଚୟ ଦୂରେଇ ଯିବେ ବୋଲି କହିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ। ରାୟଗଡା ଗସ୍ତରେ ଆସିଥିବା ଅରୁଣ ସାହୁ ଜିଲ୍ଲା ବିଜେଡି କାର୍ୟ୍ୟାଳୟରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ। କହିଥିଲେ, ପ୍ରଭୁ ଜଗନ୍ନାଥ ଆମକୁ ଶାସନ କ୍ଷମତାରୁ ହଟାଇଛନ୍ତି। ବିଜେଡି ୨୪ବର୍ଷ ଶାସନ କରିବା ପରେ ଆମ ଭିତରେ ଅହଙ୍କାର ବଢ଼ି ଯାଇଥିଲା। ତେଣୁ ନିର୍ବାଚନ ହାରିଲୁ, ଜନତା ଆମକୁ ବିରୋଧୀ ଆସନରେ ବସାଇଛନ୍ତି। ତେବେ ଆମେ ହତାଶ ହେବା ନାହିଁ। ଦଳ ଭିତରେ ଥିବା ଅସନ୍ତୋଷ, ନିଜ ନିଜ ମଧ୍ୟରେ ରହିଥିବା ଦ୍ବନ୍ଦ୍ବକୁ ଭୁଲିଗଲେ ବିଜେଡି ପୁଣି କ୍ଷମତାକୁ ଆସିବ ବୋଲି ଅରୁଣ ସାହୁ କର୍ମୀଙ୍କୁ ଉଦ୍ବୋଧନ ଦେଇଥିଲେ।