ଅନୁଗୁଳ ଜିଲ୍ଲା ମହୋତ୍ସବରେ ମୁଖ୍ୟମନ୍ତ୍ରୀ : ‘ସମୃଦ୍ଧ ଓଡ଼ିଶା ଗଠନରେ ଜିଲ୍ଲାର ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଅନୁଗୁଳ : ସ୍ୱାଧୀନ ଭାରତ ଗଠନରେ ଅନୁଗୁଳ ମାଟିର ବହୁ ବୀର ପୁରୁଷ ସ୍ୱାଧୀନତା ଆନେ୍ଦାଳନରେ ସାମିଲ ହୋଇ ଆମ ଦେଶ ମାଟିର ଐତିହ୍ୟକୁ ଗରୀମାମୟ କରିଛନ୍ତି । ଏଥି ସହ ଅନୁଗୁଳ ଜିଲ୍ଲାର ଶିଳ୍ପ, ଖଣି, କଳକାରଖାନା ସହିତ ପ୍ରାକୃତିକ ବନ୍ୟ ସମ୍ପଦ ଓ ଖଣିଜ ସଂପଦ ଭରପୁର ରହିଛି । ଯଦ୍ୱାରା ରାଜ୍ୟ ସମେତ ଭାରତ ବର୍ଷର ଅର୍ଥନୈତିକ ବିକାଶ ଦିଗରେ ସହାୟତା କରି ପାରିଛି । ୨୦୩୬ ବେଳକୁ ସମୃଦ୍ଧ ଓଡିଶା ଗଠନରେ ଅନୁଗୁଳ ଜିଲ୍ଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଅନୁଗୁଳ ଜିଲ୍ଲା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ ଉଦ୍ଘାଟନ କରିବା ସହ ଏହା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଗୁଳର ଗର୍ବ ଗୌରବ ମାଳତୀ ଚୌଧୁରୀ ଆଶ୍ରମର ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଜିଲ୍ଲାପାଳ ଏହି ଅନୁଷ୍ଠାନ ପାଇଁ ୨୫ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଅନୁରୋଧ କରିଥିଲେ । ତେବେ ମାତ୍ର ୨୫ ଲକ୍ଷ ଟଙ୍କାରେ କଣ କାମ ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିବା ସହ ନବ ମାଳତୀ ସ୍ମୃତିପୀଠ ନିର୍ମାଣ ପାଇଁ ଯାହା ଟଙ୍କା ଆବଶ୍ୟକ ତାହା ଦିଆଯିବ ବୋଲି ଘୋଷଣା କରିଥିଲେ । ହାତୀ ଆକ୍ରମଣରେ ମୃତୁ୍ୟ ହେଲେ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ମିଳୁଥିଲା । ତେବେ ଆଗକୁ ଏହି ସହାୟତା ରାଶି ବୃଦ୍ଧି କରାଯାଇ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ । ଆଜି ଉତ୍ସବ ବେଳେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୦୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ଅନେକ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।
ଏ ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କବିତା ରାଉତ (ମହିଳା ସ୍ୱାସ୍ଥ୍ୟ କର୍ମୀ), କାଞ୍ଚନ ପ୍ରଧାନ ଆଶାକର୍ମୀ, ଅମ୍ବୁଜ ଗଡନାୟକ ଶିକ୍ଷକ, ଜ୍ୟୋତ୍ସ୍ନାରାଣୀ ଗଡନାୟକ ଅଙ୍ଗନାୱାଡି କର୍ମୀ, ନୁର ହୁସେନ ଖାନ୍ (ପାରା ବ୍ୟାଡମିଟନ ଖେଳାଳୀ)ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ସମାରୋହରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ ସାମନ୍ତ, ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।