ସଂଗ୍ରହ ହେବ ୯୩ ଲକ୍ଷ ମେଟ୍ରିକ୍‌ ଟନ ଧାନ

  • ଖରିଫରେ ୭୩ ଲକ୍ଷ ଓ ରବିରେ ୨୦ ଲକ୍ଷ ମେଟ୍ରିକ ଟନ୍‌
  • ନଭେମ୍ବରରୁ ଆରମ୍ଭ ହେବ ଖରିଫ ଧାନ କିଣା
  • ୨୦୨୬ ମେ’ରେ ରବି ଧାନ ସଂଗ୍ରହ

ଭୁବନେଶ୍ୱର : ଖରିଫ ବିପଣନ ବର୍ଷ ୨୦୨୫-୨୬ ପାଇଁ ୬୩ ଲକ୍ଷ ମେଟ୍ରିକ୍‌ ଟନର ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି  । ଧାନ ହିସାବରେ ୯୩ ଲକ୍ଷ ମେଟ୍ରିକ୍‌ ଟନ୍‌ ସଂଗ୍ରହ କରାଯିବ । ଖରିଫରେ ୭୩ ଲକ୍ଷ ଓ ରବିରେ ୨୦ ଲକ୍ଷ ମେଟ୍ରିକ୍‌ ଟନ ଧାନ ସଂଗ୍ରହ ହେବ । ଯଦି ମଣ୍ଡିକୁ ଚାଷୀ ଅଧିକ ଧାନ ଆଣନ୍ତି ତାହା ସରକାର କିଣିବେ । ରାଜ୍ୟ କ୍ୟାବିନେଟରେ ଖରିଫ ବିପଣନ ବର୍ଷ ୨୦୨୫-୨୬ ପାଇଁ  ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି ଉପରେ ମୋହର ଲାଗିଛି ।  ନଭେମ୍ବରରୁ ଖରିଫ ଧାନ ସଂଗ୍ରହ କରାଯିବ । ରବି ଧାନ ୨୦୨୬ ମେ’ରୁ କିଣା ହେବ  । ଜିଲ୍ଲାଗୁଡ଼ିକ ଧାନ ସଂଗ୍ରହର ଅବଧି ନିର୍ଣ୍ଣୟ କରିବେ । ପଞ୍ଜୀକୃତ ଚାଷୀଙ୍କ ଠାରୁ ସରକାର ବଳକା ଧାନ ସଂଗ୍ରହ କରିବେ । ଆଧାର ହିଁ ହେବ ଏକମାତ୍ର ପରିଚୟ ପତ୍ର । ଉପଗ୍ରହ ମାଧ୍ୟମରେ ପଞ୍ଜିକୃତ ଚାଷ ଜମିର ଯାଞ୍ଚ କରାଯିବ । ଚାଷୀଙ୍କୁ ଧାନ ସଂଗ୍ରହ ସମ୍ପର୍କରେ ଏସଏମଏସ ଓ ହ୍ୱାଟସଆପ୍‌ ବାର୍ତ୍ତା ମାଧ୍ୟମରେ ସୂଚନା ଦିଆଯିବ । ଧାନ କିଣାବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ । ସାଧାରଣ ଧାନ ପାଇଁ କୁଇଣ୍ଟାଲ ପିଛା ସାଧାରଣ ଧାନ ପାଇଁ ୨୩୬୯ ଟଙ୍କା ଓ ଗ୍ରେଡ଼ ଏ ନିମନ୍ତେ ୨୩୮୯ ଟଙ୍କା ପ୍ରଦାନ କରାଯିବ । ସବୁ ଜିଲ୍ଲାରେ ଓଡ଼ିଶା ଯୋଗାଣ ନିଗମ ଧାନ କିଣିବ । ଏଥିରେ ପାକ୍ସ, ଲ୍ୟାମ୍ପସ ଓ ଏସଏଚଜି ଏବଂ ପାଣି ପଞ୍ଚାୟତଗୁଡ଼ିକୁ ସାମିଲ୍‌ କରାଯିବ । ଧାନ ବିକ୍ରିର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଟଙ୍କା ଦିଆଯିବ । ଧାନ କ୍ରୟ ସମୟରେ ରାଜ୍ୟ ସୀମା ସିଲ୍‌ କରାଯିବା ସହ ନିୟମିତ ଯାଞ୍ଚ କରାଯିବ । ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲାଗିବ । ସେହିପରି ମିଲର ବକେୟା ଦେୟ ଫେରାଇଲେ ସେମାନଙ୍କୁ ଧାନ କିଣିବାକୁ ଅନୁମତି ଦିଆଯିବ । ରାଜ୍ୟରେ ୨୪ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଆବଶ୍ୟକ ଥିବାବେଳେ ବାକି ଧାନ କେନ୍ଦ୍ରୀୟ ଭଣ୍ଡାରକୁ ପ୍ରଦାନ କରାଯିବ ।