ଆଜିଠୁ ଦିଲ୍ଲୀ ବିଧାନସଭା : ଆତିଶୀ ବିରୋଧୀ ଦଳ ନେତ୍ରୀ
ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ଆରମ୍ଭ ହେବ ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ । ଏହାରି ମଧ୍ୟରେ ସଦ୍ୟ ନିର୍ବାଚିତ ଦିଲ୍ଲୀ ବିଜେପିର ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଚୟନ ହୋଇଥିବା ବେଳେ ଆପ୍ ପକ୍ଷରୁ ମୁଖ୍ୟ ବିରୋଧୀ ଦଳ ନେତା କିଏ ହେବ ତାହାକୁ ନେଇ ଲାଗି ରହିଥିଲା ଦ୍ୱନ୍ଦ୍ୱ । ଏବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆପ୍ କାଲକାଜି ବିଧାୟିକା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନାଙ୍କୁ ମୁଖ୍ୟ ବିରୋଧୀ ଦଳ ନେତା ଭାବେ ଚୟନ କରିଛି । ବିରୋଧୀ ଦଳ ନେତା ଭାବେ ଏଥର ଥର ଜଣେ ମହିଳା ଚୟନ ହୋଇଥିବା ବେଳେ ଦିଲ୍ଲୀ ରାଜନୀତି ଇତିହାସରେ ଏହା ପ୍ରଥମ ବୋଲି ଜଣାପଡ଼ିଛି ।
ରବିବାର ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକରେ ତାଙ୍କୁ ବିରୋଧୀ ଦଳ ନେତା ନିର୍ବାଚିତ କରାଯାଇଥିଲା । ବୈଠକରେ ଅରବିନ୍ଦ କେଜରିୱାଲଙ୍କ ବ୍ୟତୀତ ଦଳର ସମସ୍ତ ୨୨ ବିଧାୟକ ଉପସ୍ଥିତ ଥିଲେ । ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ, ଆତିଶୀ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବିରୋଧୀ ଦଳ ଭାବରେ, ଆମ୍ ଆଦମୀ ପାର୍ଟି ବିଜେପି ସରକାର ଦ୍ୱାରା ସମସ୍ତ ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରୟାସ ଜାରି ରଖିବ । ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ସ୍ୱରୂପ ମହିଳାଙ୍କୁ ୨୫୦୦ ଦେବାର ପ୍ରତିଶ୍ରୁତି ପୂରଣ କରିବା ଆମର ପ୍ରାଥମିକତା ହେବ । ସୂଚନା ଯେ, ଫେବୃଆରୀ ୨୪ ରୁ ୨୭ ପର୍ଯ୍ୟନ୍ତ ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭ ହେବ । ୨୬ରେ ଶିବରାତ୍ରି ପଡ଼ୁଥିବାରୁ ଏହି ଦିନ ଅଧିବେଶନ ଛୁଟି ରହିବ ଏବଂ ୨୭ ତାରିଖରେ ଶେଷ ହେବ । ପ୍ରଥମ ଦିନରେ ପ୍ରୋଟେମ୍ ବାଚସ୍ପତି ଅରବିନ୍ଦ ସିଂହ ଲଭଲି ଶପଥ ନେବେ । ଏହା ପରେ ସେ ବିଧାୟକମାନଙ୍କୁ ଶପଥ ପାଠ କରାଇବେ । ଏହି ଅଧିବେଶନରେ ହିଁ ବାଚସ୍ପତି ଏବଂ ଉପବାଚସ୍ପତି ନିର୍ବାଚିତ ହେବେ । ରୋହିଣୀର ବିଜେପି ବିଧାୟକ ବିଜେନ୍ଦର ଗୁପ୍ତା ବାଚସ୍ପତି ହେବେ ବୋଲି ପ୍ରାୟ ନିଶ୍ଚିତ ହୋଇଛି । ସେହିପରି ମୋହନ ସିଂହ ବିଷ୍ଟ ଉପ ବାଚସ୍ପତି ଭାବେ ମଧ୍ୟ ଚୟନ ହେବାର ସମ୍ଭାବନା ରହିଛି । ବିଜେନ୍ଦର୍ ଗୁପ୍ତା ଶନିବାର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଭେଟିଥିବା ବେଳେ ଶ୍ରୀମତି ଗୁପ୍ତା କହିଥିଲେ ଯେ ସିଏଜିଙ୍କ ସମସ୍ତ ୧୪ଟି ବିଚାରାଧୀନ ରିପୋର୍ଟ ଫେବୃଆରୀ ୨୫ରେ ବିଧାନସଭାରେ ଉପସ୍ଥାପିତ ହେବ । ରିପୋର୍ଟରେ କୁହାଯାଇଛି ଯେ ଆପ୍ ସରକାରଙ୍କ ମଦ ଦୁର୍ନୀତି ଯୋଗୁଁ ଦିଲ୍ଲୀକୁ ୨୦୨୬ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।