ଶୁଭେନ୍ଦୁ ଅଧିକାରୀ ନିଲମ୍ବିତ : ପଶ୍ଚିମବଙ୍ଗ ବିଧାନସଭାରେ ଜୋରଦାର ହଙ୍ଗାମା
ପଶ୍ଚିମବଙ୍ଗ ବିଧାନସଭାରେ ହଙ୍ଗାମା । ଗୁରୁବାର ଭାରତୀୟ ଜନତା ପାର୍ଟି ଏବଂ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଝଗଡ଼ା ଦେଖିବାକୁ ମିଳିଥିଲା । ଯାହାପରେ କି ବିଧାନସଭାରେ ମାର୍ଶଲଙ୍କ ଡକାଇବାକୁ ପଡ଼ିଥିଲା । ତେବେ ଏହି ଝଗଡ଼ା ପରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ବିଧାନସଭାରୁ ନିଲମ୍ବିତ କରିଦିଆଯାଇଛି ।ବିଧାନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜୋରଦାର ଟାର୍ଗେଟ୍ କରିଥିଲେ । ବିଜେପି ବାଙ୍ଗଲା ବିରୋଧୀ ବୋଲି ଗୃହରେ କହିଥିଲେ ମମତା । ଯାହାପରେ ଆରମ୍ଭ ହୋଇଥିଲା ବିଧାନସଭାରେ ହଙ୍ଗାମା ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ବିଜେପି ଦୁର୍ନୀତିଗ୍ରସ୍ତ ଲୋକଙ୍କ ଏବଂ ଭୋଟ ଚୋରମାନଙ୍କର ଦଳ । ଆମେ ସଂସଦରେ ଦେଖିଲୁ ଯେ, ବିଜେପି କିପରି ଆମ ସାଂସଦମାନଙ୍କୁ ହଇରାଣ କରିବା ପାଇଁ CISF ବ୍ୟବହାର କରିଥିଲା । ତେବେ ବଙ୍ଗଳାରେ ନିଶ୍ଚିତ ଭାବରେ ଏପରି ଏକ ଦିନ ଆସିବ ଯେତେବେଳେ ବଙ୍ଗଳା ବିଧାନସଭାରେ ଜଣେ ବି ବିଜେପି ବିଧାୟକ ବସିବେ ନାହିଁ । ଲୋକମାନେ ବିଜେପିକୁ ଭୋଟ ଦେବେ ନାହିଁ ବୋଲି କହିଥିଲେ ମମତା । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି ଯେ କେବଳ କିଛି ଦିନ ଅପେକ୍ଷା କରନ୍ତୁ, ଲୋକମାନେ ବିଜେପିକୁ କ୍ଷମତାରୁ ବାହାର କରିଦେବେ । ମୋଦୀ ଏବଂ ଅମିତ ଶାହଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାରର ଖୁବଶୀଘ୍ର ପତନ ହେବ ।ମମତା ଆହୁରି କହିଛନ୍ତି, ବିଜେପି ମୋତେ ବିଧାନସଭାରେ କହିବାକୁ ଦେଉନାହିଁ, ତେଣୁ ପରବର୍ତ୍ତୀ ସମୟରେ ବିଜେପି ଯେତେବେଳେ କହିବ, ସେମାନଙ୍କୁ ଚୋର କହି କହିବାକୁ ଦିଆଯିବ ନାହିଁ । ତେବେ ଏହି ସମୟର ଭିଡିଓକୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ନେତାମାନେ ଆଜି ଗୃହରେ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ।