ପାଣ୍ଡିଆନ୍‌ ଧରିବେ କି ବିଜେଡ଼ି ମଙ୍ଗ ?

pandian Biju Janata Dal

ପାଣ୍ଡିଆନ୍‌ ଧରିବେ କି ବିଜେଡ଼ି ମଙ୍ଗ ?

ଭୁବନେଶ୍ୱର : ଏବେବି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ପାଣ୍ଡିଆନ ପ୍ରୀତି ଯାଇନାହିଁ  । ପାଣ୍ଡିଆନଙ୍କ ପାଇଁ ଦଳ ହାରିଲା ବୋଲି ସମସ୍ତେ କହୁଥିଲେବି ନବୀନଙ୍କ ମନ କିନ୍ତୁ ମାନୁନାହିଁ  । ସକ୍ରିୟ ରାଜନୀତିରୁ ଅବସର ନେଇଛି ବୋଲି ଘୋଷଣା କରିଥିବା ଭିକେ ପାଣ୍ଡିଆନ ଏବେବି ଦଳ ଚଳାଉଛନ୍ତି  । ତାଙ୍କ ରଣନୀତିରେ ହିଁ ଦଳ ଚାଲିଛି ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ହେଉଛି  । ତେବେ ନବୀନଙ୍କ ଏହି ପାଣ୍ଡିଆନ ପ୍ରୀତି ଦଳକୁ ଆଗକୁ ନେବ ନା ବୁଡେ଼ଇବ ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି  । 

ଦଳର ସଂଗଠନ ଥିଲା  । ନବୀନଙ୍କ ଲୋକପ୍ରିୟତା ବି ଥିଲା  । ନୂଆ ପ୍ରକଳ୍ପ, ନୂଆ ଯୋଜନାରେ ବି ବିଜେଡ଼ି ସରକାର ହେଳା କରିନଥିଲେ  । ତଥାପିବି ଦଳ ଚବିଶ ନିର୍ବାଚନରେ ଚିଟପଟାଙ୍ଗ ମାରିଲା  । ୧୧୫ର ଟାର୍ଗେଟ୍‌ ୫୧ ଭିତରେ ସୀମିତ ରହିଗଲା  । ସେପଟେ ୨୭ ବର୍ଷ ପରେ ଦଳ ପ୍ରଥମ ଥର ପାଇଁ ଲୋକସଭାକୁ ଯିବାରେ ସକ୍ଷମ ହୋଇନାହିଁ  । ୨୦୧୯ରେ ମୋଦି ଲହରକୁ ନବୀନ ସୁନାମୀ ଉଡେ଼ଇ ଦେଇଥିଲା  । କିନ୍ତୁ ଚବିଶରେ ଓଡ଼ିଆ ଅସ୍ମିତାର ବତାସ ଓ ମୋଦି ଲହର ନବୀନଙ୍କୁ ଗାଦିଚ୍ୟୁତ କରିବାରେ ସକ୍ଷମ ହୋଇଛି  । ତଥାପିବି ବିଜେଡ଼ି ଚେତିନଥିବା ପ୍ରତୀୟମାନ ହେଉଛି  ।

ପରାଜୟର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଢ଼ିବ ବୋଲି ନବୀନ କହିଥିଲେ  । କିନ୍ତୁ ଏଯାଏଁ କମିଟି ଗଢ଼ା ହେଲାନାହିଁ କିମ୍ବା ସେ ବିଷୟରେ ଚର୍ଚ୍ଚା ବି ହେଉନାହିଁ  । ଅତଏବ ବିଜେଡ଼ି କାହିଁକି ହାରିଛି ସବୁ କାରଣ ବିଷୟରେ ମାମଲତିକାରମାନେ ଜାଣିସାରିଛନ୍ତି  । ଦୀର୍ଘଦିନ ଧରି କେନ୍ଦ୍ର ବିରୋଧରେ ନୀରବ ଥିବା ବିଜେଡ଼ି ଏବେ ବିଜେପି ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛି  । ବିଜେପି ବିରୋଧରେ ଦଳ ରାଜରାସ୍ତାକୁ ଯିବା ପାଇଁ ବି ସଜବାଜ ହେଉଛି  । ଅପରପକ୍ଷରେ ବିଜେପି ମଧ୍ୟ ବିଜେଡ଼ିରୁ ନେତାଙ୍କୁ ଆଣି ଭାଡ଼ି ଖାଲି କରିବାକୁ ଯୋଜନା କରିଛି  । ଆଗାମୀ ଦିନରେ ବିଜେଡ଼ି-ବିଜେପି ଲଢେ଼ଇ ଜୋରଦାର ହେବାର ଥିବାବେଳେ କାହାର ପଲା ଭାରିରହିବ ତାହାର ଉତ୍ତର ସମୟ ହିଁ ଦେବ  ।