ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ସୋର:  ସୋର ଥାନା ମୁଗୁନିପୁର ଗ୍ରାମରେ ଭୋଜି ଖାଇବାକୁ ଯାଇଥିବା ବେଳେ ଜଣେ ଅସବର୍ଣ୍ଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏହି ଗ୍ରାମରେ ଏକ ବିବାହ ଭୋଜିକୁ ନିମନ୍ତ୍ରଣ ପାଇ ସେହି ଗ୍ରାମର ସଞ୍ଜୟ ମଳିକ (୩୩) ଭୋଜି ଖାଇବାକୁ ଯାଇଥିଲେ । ସେଠାରେ ସେ ଖାଉଥିବା ବେଳେ ମରେଈଗାଁର ଜଣେ ଯୁବକ ତାଙ୍କୁ ତାଙ୍କ ଜାତି ଉଠାଇ ଗାଳି ଦେଇଥିଲେ । ଏଥିରେ ସଞ୍ଜୟ ପ୍ରତିବାଦ କରିବାରୁ ଯୁବକ ଜଣଙ୍କ ତାଙ୍କୁ ଧକା ମାରିଥିଲେ । ସଞ୍ଜୟ ତଳେ ପଡିଯିବା ପରେ ଯୁବକଙ୍କ ବାପା ଏବଂ ତାଙ୍କ ସମ୍ପର୍କୀୟ ଏକ ଲୁହା ରଡ଼ରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ସେ ପିନ୍ଧିଥିବା ଏକ ସୁନା ଚେନ, ସୁନା ମୁଦି ଏବଂ ନଗଦ ୪,୫୦୦ ଟଙ୍କା ନେଇଯାଇଥିଲେ । ଫଳରେ ତାଙ୍କ ମୁଣ୍ଡ ଫାଟିବା ସହିତ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଈଶ୍ୱରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ସୁସ୍ଥ ହୋଇ ଫେରିବା ପରେ ସଞ୍ଜୟ ସୋର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୂଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।