ଓମ୍ ଶାନ୍ତି କ୍ଲିନିକ୍ରେ ଗୁରୁଚଣ୍ଡାଳ ତ୍ରୁଟି : ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟ ପାଇଁ ଶିଶୁ ମୃତୁ୍ୟ!
ଭଦ୍ରକ : ଗର୍ଭବତୀଙ୍କ ପେଟରେ ଛୁଆ ସୁସ୍ଥ ଓ ବଞ୍ଚିଥିବା ନେଇ ଘରୋଇ କ୍ଲିନିକର ଅଲଟ୍ରାସାଉଣ୍ଡ ରିପୋର୍ଟରେ ଆସିଥିଲା । ହେଲେ କିଛି ସମୟ ପରେ ଯନ୍ତ୍ରଣା ହେଲା, ମେଡିକାଲ ନେବା ବେଳକୁ ଜଣାପଡ଼ିଲା ଗର୍ଭରେ ଥିବା ଶିଶୁର ମୃତୁ୍ୟ ହୋଇସାରିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକରେ । ସେପଟେ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ନ୍ୟାୟ ଦାବିରେ ଘରୋଇ କ୍ଲିନିକ୍ ଆଗରେ ଗର୍ଭବତୀଙ୍କ ସ୍ୱାମୀ ଧାରଣାରେ ବସି ରହିଥିଲେ ।
ସୂଚନା ଅନୁସାରେ, ଭଦ୍ରକ ତିହିଡ଼ି ଥାନା ଅଧୀନ ଦୋଳସାହି ରାଢ଼ଙ୍ଗ ଅଞ୍ଚଳର ପ୍ରଫୁଲ୍ଲ ଗିରି, ନିଜ ଗର୍ଭବତୀ ସ୍ତ୍ରୀଙ୍କୁ ଚେକଅପ୍ ପାଇଁ ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ବାଇପାସ୍ ସ୍ଥିତ ଏକ ଘରୋଇ ଅଲଟ୍ରାସାଉଣ୍ଡକୁ ନେଇଥିଲେ । ସେଠାରେ ଅଲଟ୍ରାସାଉଣ୍ଡ କରାଇ ଏହାର ରିପୋର୍ଟ ମଧ୍ୟ ନେଇଥିଲେ । ଯେଉଁ ରିପୋର୍ଟରେ ଛୁଆ ସୁସ୍ଥ ଥିବା କଥା କୁହାଯାଇଛି । ହେଲେ ଏହାର କିଛି ସମୟ ପରେ ଗର୍ଭବତୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ପେଟରେ ଥିବା ଶିଶୁର ମୃତୁ୍ୟ ହୋଇସାରିଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ । ତେବେ ମୃତ ଶିଶୁଟିକୁ ଅପରେସନ ପରେ ବାହାର କରାଯାଇଥିବାବେଳେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କର ଚିକିସôା ଜାରି ରହିଛି । ସେପଟେ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ମୃତ ଶିଶୁକୁ ଧରି ଅଲଟ୍ରାସାଉଣ୍ଡ ସେଣ୍ଟର ସାମ୍ନାରେ ବସିଛନ୍ତି ମୃତ ନବଜାତର ବାପା ଓ ସମ୍ପର୍କୀୟ । ଖବର ପାଇ ଭଦ୍ରକ ସହରାଞ୍ଚଳ ପୋଲିସ ଅଲଟ୍ରାସାଉଣ୍ଡ ସେଣ୍ଟରରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛି । ଏପଟେ ଘଟଣାକୁ ନେଇ ଅଲଟ୍ରାସାଉଣ୍ଡ କରିଥିବା କ୍ଲିନିକର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।