ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ : ଭଦ୍ରକରେ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠମାନେ ଆମ ସମାଜର ମାର୍ଗଦର୍ଶକ ଏବଂ ସେମାନଙ୍କର ଅଭିଜ୍ଞତା ଆମ ପାଇଁ ଆଶୀର୍ବାଦ । ସେମାନଙ୍କ ଆଦେଶ, ଉପଦେଶ ଗ୍ରହଣ କଲେ, ସେମାନଙ୍କୁ ସମ୍ମାନ କରି ସେମାନଙ୍କ ସେବା କଲେ ଆମ ଉପରେ ଅଦୃଶ୍ୟ ଆଶୀର୍ବାଦ ଝରିପଡେ । ବରିଷ୍ଠମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ସହାନୁଭୂତି ରହିଲେ ତୃପ୍ତି ମିଳିଥାଏ ବୋଲି ଯୋଗଦେଇଥିବା ଅତିଥିମାନେ ପ୍ରକାଶ କରିଥିଲେ । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର, ଅତିରିକ୍ତ ଏସ୍ପି ବାସୁଦେବ ସ୍ୱାଇଁ, ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାସ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆବାହକ ଏବଂ ସଂଯୋଜକ ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ଦାସ ଏହି ଦିବସ ପାଳନର ଆଭିମୁଖ୍ୟ ଓ ବରିଷ୍ଠମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାରେ ୨୫ଟି ବରିଷ୍ଠ ନାଗରିକ ସଂଘ ଗଠନ ହୋଇଥିବା ବେଳେ ସେଥିରୁ ୧୫ଟି ପଞ୍ଜିକୃତ ହୋଇଥିବା ବିଷୟରେ ସୂଚନା ଦେବାସହ ବରିଷ୍ଠ ମାନଙ୍କର ବିଭିନ୍ନ ସମସ୍ୟା ସମାଧାନ ପାଇଁ କୈଳାସ ମହାପାତ୍ରଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଥିଲା । ବରିଷ୍ଠଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବାରେ ବରିଷ୍ଠମାନଙ୍କ ପାଇଁ ନିଜକୁ ସମର୍ପିତ କରିଥିବା ଓ ସମାଜର ଅବହେଳିତ ବର୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା ୧୬ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ବସନ୍ତ ମହାପାତ୍ର, ବାମନ ଚରଣ ଘଡ଼େଇ, ସୁଧାକର ରାଉତ, ଡ. ଭଗବାନ ପରିଡ଼ା, ବିଶ୍ୱନାଥ ବାରିକ, ରାଧାରାଣୀ ମହାପାତ୍ର, ରଘୁନାଥ ସାହୁ, ଦିବାକର ସାମଲ, ସୁରେନ୍ଦ୍ର ନାୟକ, ଜଗନ୍ନାଥ ରାୟ, ଅଜୟ ନାୟକ, ଗଣେଶ ଚନ୍ଦ୍ର ଦିକ୍ଷିତ, ଅରୁଣ ପରିଡ଼ା, ରବୀନ୍ଦ୍ରନାଥ ଧଳ, ଦୁଶାସନ ରାଉତ, ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ଥିଲେ । ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରୀ ସଭାପତି ପଦ୍ମନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ, ସୋମ୍ୟଜିତ ବେହେରା, ଯଶୋଦାରାଣୀ ସାହୁ, ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସହ ବିଭାଗୀୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଦାୟିତ୍ୱ ବହନ କରିଥିଲେ ।