ପାର୍କିଂ ଫି' ଆଦାୟକୁ ନେଇ ଉତ୍ତେଜନା
ହିଞ୍ଜିଳିକାଟୁ : କିଛି ଦିନର ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପୁଣିଥରେ ପାର୍କିଂ ଫି'ଆଦାୟକୁ କେନ୍ଦ୍ର କରି ଉତ୍ତେଜନା ଦେଖିବାକୁ ମିଳିଛି । ଗତ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବକ ନିଜ କାର୍କୁ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପାର୍କିଂ କରିଥିଲେ । ଯାହାଫଳରେ ପାର୍କିଂ ଫି'ଆଦାୟ କରୁଥିବା ଜୈନିକ ଯୁବକ ପାର୍କିଂ ବାବଦକୁ ଟଙ୍କା ମାଗିଥିଲେ । କାର୍ ଚାଳକ ଜଣଙ୍କ ପାର୍କିଂ ବାବଦକୁ ଆବଶ୍ୟକ ସ୍ଥାନ ନ ଥିବା ଦର୍ଶାଇ ଫି'ଦେବାକୁ ମନା କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହେବା ସହ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ କିଛି ଭଦ୍ରବ୍ୟକ୍ତି ପହଞ୍ଚô ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ କରିବା ପରେ ଉତ୍ତେଜନା ଥମିଥିଲା । ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପାର୍କିଂ ପାଇଁ ଆବଶ୍ୟକ ସ୍ଥାନ ଅଭାବ ଯୋଗୁଁ ବହୁ ସମୟରେ ପାର୍କିଂ ଫି'ବାବଦକୁ ଟଙ୍କା ଆଦାୟକୁ କେନ୍ଦ୍ର କରି ଉଚ୍ଚବାଚ ହେଉଥିବା ଘଟଣା ନିତିଦିନିଆ ଘଟଣା ପାଲଟିଛି । ଏ ଦିଗରେ ପୌର ଓ ପୁଲିସ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ପ୍ରକାଶ ଥାଉକି, ଗତ ଡିସେମ୍ବର ୧୦ତାରିଖ ରାତି ପ୍ରାୟ ସାଢେ ୮ଟାରେ ହିଞ୍ଜିଳିକାଟୁର ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ବ୍ରହ୍ମପୁର ଅଞ୍ଚଳର କିଛି ଯୁବକ କାର୍ ଯୋଗେ ଆସି ହିଞ୍ଜିଳିକାଟୁ ଠାରେ ପହଞ୍ଚିଥିଲେ । ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ କାର୍ ପାର୍କିଂ କରିବା ପରେ ଲିଜଧାରୀ କିଛି ଯୁବକ କାରଗାଡି ନିକଟକୁ ଆସି ପାର୍କିଂ ଫି’ ବାବଦକୁ ଟଙ୍କା ମାଗିଥିଲେ । କିନ୍ତୁ କାର୍ ଗାଡିରେ ଆସିଥିବା ଯୁବକମାନେ ପାର୍କିଂ ବାବଦକୁ ଆବଶ୍ୟକ ସ୍ଥାନ ନଥିବା ଦର୍ଶାଇ ଫି’ ଦେବାକୁ ମନା କରି ଦେଇଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେବା ସହ ହାତାହାତି ହୋଇଥିଲା । କିଛି ସମୟ ପରେ ହିଞ୍ଜିଳିକାଟୁ ଅଞ୍ଚଳର କିଛି ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅନ୍ୟପକ୍ଷରେ ବ୍ରହ୍ମପୁରରୁ ଆସିଥିବା ଯୁବକମାନେ ବିଜେପି କର୍ମୀ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର କିଛି ବିଜେପି କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ଆକ୍ରମଣ ଓ ପ୍ରତିଆକ୍ରମଣ । ଫଳରେ ବସ୍ ଟର୍ମିନାଲ ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା । ଆକ୍ରମଣ ଓ ପ୍ରତିଆକ୍ରମଣରେ ୪ ଜଣ ଯୁବକ ଆହତ ହୋଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ବସ୍ ଟର୍ମିନାଲ ପରିସରରେ ପହଞ୍ଚô ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଏବଂ ସଂପୃକ୍ତ ଘଟଣାରେ ପୁଲିସ ତଦନ୍ତ କରି ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।