ପହେଲଗାମରେ ଆତଙ୍କୀ ଆକ୍ରମଣ : ୨୭ ମୃତ

ଜାମ୍ମକାଶ୍ମୀରରେ ଏକ ବଡ଼ ଧରଣର ଆତଙ୍କୀ ହମଲା ହୋଇଛି  । ଲସ୍କର ସହ ଜଡ଼ିତ ଆତଙ୍କବାଦୀମାନେ ଆଜି ପର୍ଯ୍ୟଟକମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ  । ଫଳରେ ୨୭ ଜଣ ପର୍ଯ୍ୟଟକଙ୍କର ମୃତୁ୍ୟ ହୋଇଥିବା ଜାଣିବାକୁ ମିଳିଛି  । ଅନେକ ବିଦେଶୀ ପର୍ଯ୍ୟଟକ ମଧ୍ୟ ମୃତୁ୍ୟବରଣ କରିଛନ୍ତି  । ମୁଣ୍ଡରେ ଗୁଳି ବାଜିବାରୁ ଓଡ଼ିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥିଙ୍କର ମଧ୍ୟ ମୃତୁ୍ୟ ହୋଇଛି  । ଲସ୍କର ସହ ଜଡ଼ିତ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଆତଙ୍କୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି  ।
ଆଜି ପୂର୍ବାହ୍ନରେ ପର୍ଯ୍ୟଟକମାନେ ବାଇସରନରେ ପ୍ରକୃତିର ଅପରୂପ ଶୋଭାରାଜି ଦେଖୁଥିବାବେଳେ ହଠାତ୍ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କଲେ  । ଏହା ଏକ ହିଲ ଷ୍ଟେସନ୍ ହୋଇଥିବାବେଳେ ଲୋକଙ୍କୁ ଚାଲିଚାଲି ବା ପୋନିରେ ଯିବାକୁ ପଡ଼ିଥାଏ  । ଏହି ଅଞ୍ଚଳକୁ ମିନି ସୁଇଜରଲାଣ୍ଡ ବୋଲି ବି କୁହାଯାଏ  । ଯବାନଙ୍କ ପୋଷାକରେ ଦୁଇ ତିନି ଜଣ ଆସି ଆଖି ବୁଜା ଗୁଳି ଚଳାଇବାରୁ ପର୍ଯ୍ୟଟକମାନେ ଧାଁ ଦଉଡ଼ ଆରମ୍ଭ କରିଦେଇଥିଲେ  । କେତେଜଣ ପର୍ଯ୍ୟଟକଙ୍କର ସେହି ସ୍ଥାନରେ ମୃତୁ୍ୟ ହୋଇଥିବାବେଳେ ଅନେକ ପର୍ଯ୍ୟଟକଙ୍କର ହସପିଟାଲରେ ମୃତୁ୍ୟ ହୋଇଛି  । ସେହିପରି ପର୍ଯ୍ୟଟକମାନେ ଇତଃସ୍ତତ ହୋଇ ପଳାଇବାରୁ ସେମାନେ ପରିବାର ସହ ବିଚ୍ଛିନ୍ନ ମଧ୍ୟ ହୋଇ ଯାଇଛନ୍ତି  । କେତେକ ପର୍ଯ୍ୟଟକଙ୍କର ଡରରେ ମଧ୍ୟ ମୃତୁ୍ୟ ହୋଇଯାଇଥିବା ଜାଣିବାକୁ ମିଳିଛି  । ମୃତୁ୍ୟ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି  । ଅନେକ ଦିନ ପରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ସାରା ଦେଶକୁ ଚହଲାଇ ଦେଇଛି  । ବିଶ୍ୱସ୍ତରରେ ବି ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । ଏହି ଖବର ପାଇବା ମାତ୍ରେ ତୁରନ୍ତ ପାହଲଗାମଙ୍କୁ ସିକୁ୍ୟରିଟି ଫୋର୍ସର ସୁଅ ଛୁଟିଥିଲା  । ଆତଙ୍କବାଦୀଙ୍କୁ ଧରିବା ପାଇଁ ଆତଙ୍କୀ ନିରୋଧୀ ଅପରେସନ୍ ବି ଜୋରଦାର ହୋଇଥିଲା  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାର ତୀବ୍ର ନିନ୍ଦା କରିଥିବାବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତୁରନ୍ତ କାଶ୍ମୀରରେ ପହଁଚି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି  । ଶାହଙ୍କ ସହ ସାଉଦି ଆରବ ଗସ୍ତରେ ଥିବା ମୋଦି ଫୋନ୍ ଯୋଗେ କଥା ହୋଇଛନ୍ତି  । ଆମେରିକାର ଉପରାଷ୍ଟ୍ରପତି ଜେଡ଼ି ଭାନ୍ସ ଭାରତ ଗସ୍ତରେ ଥିବାବେଳେ ଏଭଳି ଏକ ଆତଙ୍କୀ ଘଟଣା  ଘଟିଛି  । ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହାର କଡ଼ା ନିନ୍ଦା କରିବା ସହ ନିଜ ଗସ୍ତ କାଣ୍ଟଛାଟ କରି ଘଟଣା ସ୍ଥଳକୁ ଯାଇଛନ୍ତି  । ସ୍ୱାମୀଙ୍କୁ ହରାଇଥିବା ଜଣେ ମହିଳା କହିଛନ୍ତିଯେ, ସେମାନେ ଭେଲପୁରୀ ଖାଉଥିଲେ  । ବନ୍ଧୁକଧାରୀମାନେ ଆସି କହିଥିଲେ, ତମ ସ୍ୱାମୀ ମୁସଲିମ୍ ନୁହଁନ୍ତି  । ଏହା କହି ସେମାନେ ଗୁଳି ଚଳାଇଥିଲେ  ।