ଅକ୍ଷୁର୍ଣ୍ଣ ରହୁ ବ୍ୟକ୍ତିତ୍ୱ

ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ଜୀବନରେ ଆମର ବ୍ୟକ୍ତିତ୍ୱକୁ କିଭଳି ଅକ୍ଷୁର୍ଣ୍ଣ ରଖି ହେବ ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ବ୍ୟକ୍ତିର ମହନୀୟତା ନମ୍ରତା ମାଧ୍ୟମରେ ହିଁ ପ୍ରକାଶ ପାଏ । ଜଣେ ଯେତେ ଅଧିକ ସାମାଜିକ ପ୍ରତିଷ୍ଠାର ଅଧିକାରୀ ହୁଅନ୍ତୁନା କାହିଁକି ଶତ୍ରୁ ନିଶ୍ଚିତ ରୂପେ ରହିବେ, ନିନ୍ଦୁକ-ସମାଲୋଚକ ରହିବେ । ସେମାନଙ୍କର ମୁହଁକୁ କସ୍ମିନ୍କାଳେ ବନ୍ଦ କରାଯାଇପାରିବ ନାହିଁ । କାରଣ ପ୍ରବୃତ୍ତିଗତ ଭାବରେ ଦୁର୍ଜନ ଲୋକମାନେ କେବେବି ପ୍ରକୃତିର ପରିବର୍ତ୍ତନ କରନ୍ତି ନାହିଁ । ତେଣୁ ସେମାନଙ୍କ ଠାରୁ ଦୂରେଇ ରହି ଏବଂ ନିଜର ବ୍ୟକ୍ତିତ୍ୱକୁ ଜଗି ରଖିବା ଉଚିତ୍ ଏବଂ ନିଜର ନମ୍ର ଭାବକୁ ନିଜ ଭିତରେ ସଙ୍କୁଚିତ କରି ରଖି ନିଜ ବ୍ୟକ୍ତିତ୍ୱକୁ ବଞ୍ଚାଇ ରଖିବା ଉଚିତ୍ । କୌଣସି କ୍ଷେତ୍ରରେ କେହି କେବେ ନମ୍ରତା ମାଧ୍ୟମରେ ଦୁଷ୍ଟ ବ୍ୟକ୍ତିଙ୍କର ପରିବର୍ତ୍ତନ କରିପାରିବ ନାହିଁ; ବରଂ ଦୁଷ୍ଟ ବ୍ୟକ୍ତିମାନେ ଅନେକ ସମୟରେ ଲୋକଙ୍କର ଆଦର୍ଶ ହୋଇପଡ଼ନ୍ତି । ଏ ପ୍ରକାରର ମାନବୀୟ ଗୁଣ ଯୋଗୁଁ ସଜ୍ଜନମାନଙ୍କୁ ମଧ୍ୟ କିଛି ଲୋକଙ୍କ ଠାରୁ ସତର୍କ ହୋଇ ଚଳିବାକୁ ପଡ଼େ । 
ନିଜର ବ୍ୟକ୍ତିତ୍ୱକୁ ଅକ୍ଷୁର୍ଣ୍ଣ ରଖିବା ପ୍ରତ୍ୟେକ ବୁଦ୍ଧିମାନ ବ୍ୟକ୍ତିର କାର୍ଯ୍ୟ । ଖଳ ପ୍ରକୃତିର ଦୁର୍ଜନମାନଙ୍କ ଠାରୁ ଦୂରେଇ ରହିବା ହିଁ ପ୍ରକୃତ ନମ୍ରତା । ଯେଉଁମାନେ କେବେହେଲେ କୌଣସି ପରିବର୍ତ୍ତନକୁ ଗ୍ରହଣ କରିପାରନ୍ତି ନାହିଁ, ସେମାନଙ୍କ ନିକଟରେ ଆଦର୍ଶର କୌଣସି ମୂଲ୍ୟ ନଥାଏ । ତେଣୁ ନିଜକୁ ନିଜେ ଜଗିବା ହେଉଛି ବିଜ୍ଞତା । ସମାଜରେ ଯେତେ ଉଚ୍ଚକୁ ଗଲେ ମଧ୍ୟ ନମ୍ରତା ହେଉଛି ବ୍ୟକ୍ତିର ଭୂଷଣ । ତେଣୁ ଜଣେ କେତେ ଉଚ୍ଚକୁ ଯାଇଛି ତାହା ନିଜେ ଆକଳନ ନକରି ନିଜର ନମନୀୟ ବ୍ୟକ୍ତିତ୍ୱକୁ ବଜାୟ ରଖିବା ପାଇଁ ପରିସ୍ଥିତି ଦେଖି ନମ୍ର ବ୍ୟବହାର କରିବା ଉଚିତ୍, ବିନୟୀ ହେବା ବିଧେୟ । କୌଣସି ଏକ ନମ୍ର ବ୍ୟବହାରରେ ନିଜର ସମ୍ମାନକୁ ରକ୍ଷା କରାଯିବା ସହିତ ଅବାଂଛିତ ଝଗଡ଼ା ଏବଂ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ । 
ନିଜ ନମ୍ରତା ନିଜ ପାଇଁ ଭୂଷଣ । ଅଥଚ ନିଜ ନମ୍ରତା ଦ୍ୱାରା ଅନ୍ୟକୁ ଆଭୂଷିତ କରାଯାଇପାରିବ ନାହିଁ । ଏ ଦୃଷ୍ଟିରୁ ନିଜ ସମ୍ମାନକୁ ରକ୍ଷା କରି ନମ୍ର ଭାବ ମାଧ୍ୟମରେ ନିଜର ପଦମର୍ଯ୍ୟାଦାକୁ ରକ୍ଷା କରାଯାଇପାରିବ । ଏ ପୃଥିବୀରେ ନିଜ ପଦମର୍ଯ୍ୟାଦା କେବଳ ନିଜର । ଏହା ନିଜ ଦ୍ୱାରା ହିଁ ଗଢ଼ା ଯାଇଥାଏ । ଅନ୍ୟକୁ ସମ୍ମାନ ଦେଇ ସେମାନଙ୍କର ମର୍ଯ୍ୟଦା ବୃଦ୍ଧିର ଉଦ୍ୟମ କରାଗଲେ ବହୁ ସମୟରେ ତାହା ବ୍ୟର୍ଥ ହେଉଥିବା ପ୍ରମାଣିତ ହୋଇଛି । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।