ନିଶାସେବନ ସମସ୍ୟା ଓ ପ୍ରତିକାର
ଡା.ସମ୍ରାଟ କର : ନିଶା ମନରୁ ଦୁଃଖ ସାମୟିକ ଭାବେ ଦୂର କରାଇ ଆନନ୍ଦ ଅନୁଭବ କରାଏ । ପ୍ରତିଥର ଏହି ଆନନ୍ଦ ଅନୁଭବ କରିବାକୁ ହେଲେ ଅଧିକରୁ ଅଧିକ ନିଶା ବ୍ୟବହାର କରିବାକୁ ପଡ଼ିଥାଏ । କାରଣ ଆମ ଶରୀରରେ ଥିବା ଜୀବକୋଷଗୁଡ଼ିକ ସମାନ ଫଳ ଦେଖାଇବା ପାଇଁ ପ୍ରତିଥର ଅଧିକ ନିଶା ମାତ୍ରା ଦରକାର କରିଥାନ୍ତି । ଏହାକୁ ଜୀବକୋଷଗୁଡ଼ିକର ‘ନିଶା ଆସକ୍ତି ଭାବ’ କୁହାଯାଏ । କେତେକ ନିଶା ଅଛି, ଯାହାକୁ ଥରଟିଏ ବ୍ୟବହାର କଲେ ମଧ୍ୟ ଜୀବକୋଷରେ ଆସକ୍ତିଭାବ ସୃଷ୍ଟି ହୋଇଥାଏ । ତେଣୁ ଏହି ନିଶା ଛାଡ଼ିଲାବେଳେ ଶରୀରରେ କେତେକ ଲକ୍ଷଣ ଦେଖାଯାଏ । ତେଣୁ ପୁଣି ଥରେ ନିଶା ଖାଇବା ପାଇଁ ଆସକ୍ତି ଭାବନା ସୃଷ୍ଟି ହୁଏ । ବାରମ୍ବାର ନିଶା ସେବନ ଦ୍ୱାରା ଆମର ଶାରୀରିକ ଓ ମାନସିକ ସ୍ତରରେ ନିଶାଦ୍ରବ୍ୟ ପ୍ରତି ନିର୍ଭରତା ଆସେ । ଯଦି କୌଣସି କାରଣରୁ ନିଶା ଦ୍ରବ୍ୟ ବ୍ୟବହାର କରୁଥିବା ଲୋକ କୌଣସି ଦିନ ନିଶା ନ ପାଏ, ତେବେ ତାହାର ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବ ଅନୁଭୂତ ହୁଏ । ମଦ ନିଶାଶକ୍ତ ବ୍ୟକ୍ତିମାନେ ଯେତେ କହିଲେ ମଧ୍ୟ ନିଶା ଛାଡି ପାରନ୍ତି ନାହିଁ; କାରଣ ମଦ ବନ୍ଦ କରିଦେଲେ ହାତ ଥରେ, ଛାତି ଧଡ୍ଧଡ଼୍ ହୁଏ, ମୁଣ୍ଡ ବିନ୍ଧେ, ଡର ଲାଗେ ଓ ନିଦ ହୁଏନାହିଁ । ଭାଙ୍ଗ, ଗଞ୍ଜେଇ ପ୍ରଭୃତି ନିଶାକୁ ଲୋକେ ସହଜରେ ଗ୍ରହଣ କରିନେଇଥାନ୍ତି ଓ ଏହା ସାମାଜିକ ପର୍ବପର୍ବାଣିରେ ବ୍ୟବହାର ହୋଇଥାଏ । ଆଜିକାଲି ମଦକୁ ମଧ୍ୟ ଗ୍ରହଣ କରାଗଲାଣି । ସେହି ନିଶାଗୁଡ଼ିକୁ ‘ନରମ ନିଶା’ ବୋଲି କୁହାଯାଏ । ଅଫିମ ଓ ଅଫିମରୁ ତିଆରି ମର୍ଫିନ୍, ପେଥିଡିନ୍, ହେରୋଇନ୍ ପ୍ରଭୃତି ନିଶା, ବେଶି ପରିମାଣରେ ମଦ ଇତ୍ୟାଦି ଜୀବକୋଷଗୁଡ଼ିକରେ ଶୀଘ୍ର ପରିବର୍ତ୍ତନ ସୃଷ୍ଟି କରିପାରୁଥିବାରୁ ‘ଟାଣୁଆ ନିଶା’ ବୋଲି କୁହାଯାଏ । ଆମର ପ୍ରକୃତି ଓ ବ୍ୟକ୍ତିତ୍ୱ ଉପରେ ନିଶାସେବନ ମଧ୍ୟ ନିର୍ଭର କରେ । ଯେଉଁମାନେ ସାମାନ୍ୟ ନିରାଶାରେ ଭାଙ୍ଗିପଡ଼ନ୍ତି, ସେମାନେ ନିଶା ସେବନ କଲେ ତାହା ଆଉ ଛାଡ଼ିପାରନ୍ତି ନାହିଁ । ଏହା ପରୀକ୍ଷା କରି ଦେଖାଯାଇଛି ଯେ ଯେଉଁମାନଙ୍କ ବାପ ମା’ ନିଶା ସେବନ କରନ୍ତି, ସେମାନଙ୍କ ପିଲାମାନେ ମାନସିକ ନିଶାସେବନ ପ୍ରତି ଦୁର୍ବଳତା ପ୍ରକାଶ କରିଥାନ୍ତି । ତେଣୁ ସେମାନେ ସୁବିଧା ପାଇଲେ ଖୁବ୍ ଶୀଘ୍ର ନିଶାଗ୍ରସ୍ତ ହୋଇଯାନ୍ତି । ନିଶା ଖାଇବାକୁ ନ ପାଇଲେ ଚୋରି, ଡକାୟତି ପ୍ରଭୃତି କରିବା ପାଇଁ ଲୋକମାନେ ବାଧ୍ୟ ହୁଅନ୍ତି । ନିଶା ରଖିବା ଓ ତା'ର ଚୋରାରେ ବ୍ୟବହାର କରିବା ଏକ ଲାଭଜନକ ବ୍ୟବସାୟ। ମାଗଣାରେ ନିଶାଦେଇ ସହକର୍ମୀ ଓ ସହପାଠୀମାନଙ୍କୁ ନିଶା ସେବନ ରାସ୍ତାରେ ପକାଇ ଦିଅନ୍ତି । ନୂଆ ବ୍ୟକ୍ତି ମଧ୍ୟ ନିଶାଦ୍ରବ୍ୟ ସରବରାହର ଏକ ଏଜେଣ୍ଟ ଭଳି କାର୍ଯ୍ୟ କରେ ଓ ଏହା ସହଜ ଅର୍ଥ ଉପାର୍ଜନର ଏକ ପନ୍ଥା ହୋଇଯାଏ । ନିଶାସେବନ ଦ୍ୱାରା ମସ୍ତିଷ୍କରେ ଥିବା ସ୍ନାୟୁବିକ ରସ ଡୋପାମିନ୍, ସେରୋଟନିନ୍, ନରଆଡ୍ରେନାଲିନ୍ ଆଦିର ସାମୟିକ ବିଶୃଙ୍ଖଳା ହୁଏ । ଏହା ମସ୍ତିଷ୍କରେ ଥିବା ପୁରସ୍କାର କେନ୍ଦ୍ର (ଜରଙ୍ଗବକ୍ସୟ ଉରଦ୍ଭଗ୍ଧକ୍ସର)କୁ ଉତ୍ତେଜିତ କରେ ଓ ମନକୁ ଆନନ୍ଦ ଦିଏ । ମାତ୍ର ଯେଉଁମାନଙ୍କର ଏହି ବିଶୃଙ୍ଖଳା ଅଧିକ ତଥା ଚିରସ୍ଥାୟୀ ହୋଇଥାଏ, ମାନସିକ ସମସ୍ୟା ବାହାରେ । ତେଣୁ ଏହା ସମସ୍ତଙ୍କର ହୁଏନାହିଁ । ନିଶା ବ୍ୟବହାରଦ୍ୱାରା କେତେକ ସୁପ୍ତ ମାନସିକ ରୋଗ ଯଥା-ସିଜୋଫ୍ରେନିଆ, ମାନିଆ ଓ ମାନସିକ ବିଷାଦ ଆଦି ରୋଗ ଜାଗ୍ରତ ହୋଇପାରେ । ମନୁଷ୍ୟ ନିଜର ହିତାହିତ ଜ୍ଞାନ ହରାଇ ବସେ ଓ ସ୍ଥାନ, କାଳ ପାତ୍ରର ମର୍ଯ୍ୟାଦା ବୁଝିବାକୁ ଅକ୍ଷମ ହୋଇପଡେ଼ ।
ଶାରୀରିକ ରୋଗମାନଙ୍କ ମଧ୍ୟରେ ଜଣ୍ଡିସ୍ ବା କାମଳ ରୋଗ ପ୍ରଧାନ । ଏହାଛଡ଼ା ପେପ୍ଟିକ ଅଲସର, ନ୍ୟୁରାଇଟିସ, ପାରାଲିସିସ୍ ରୋଗ ମଧ୍ୟ ଦେଖାଦିଏ । ନିଶା ହେବାର କୁପ୍ରଭାବ ଦ୍ୱାରା ନିଶାଗ୍ରସ୍ତ ମନୁଷ୍ୟ ନପୁଂସକ ହୋଇଯାଏ । ନିଶାଗ୍ରସ୍ତ ଅବସ୍ଥାରେ ଦୁର୍ଘଟଣା ହୋଇ ହାଡ଼ ଭାଙ୍ଗିଯାଇପାରେ ବା ମସ୍ତିଷ୍କରେ ଧକ୍କା ବାଜି ରକ୍ତସ୍ରାବ ହୋଇ ସାରା ଜୀବନପାଇଁ ମନୁଷ୍ୟ ପଙ୍ଗୁ ହୋଇଯାଇପାରେ । ଆମ ଦେଶରେ କେତେକ ଲୋକ ନିଶା ବ୍ୟବହାର କରୁଛନ୍ତି ତାହା ସଠିକ୍ ଭାବେ ଜଣା ପଡ଼ୁ ନାହିଁ । କେବଳ ଯେଉଁମାନେ ନିଶାଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ଶାରୀରିକ ତଥା ମାନସିକ ରୋଗରେ ଆକ୍ରାନ୍ତ ହେଉଛନ୍ତି ଓ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଧାଡ଼ି ବାନ୍ଧି ଠିଆ ହେଉଛନ୍ତି, କେବଳ ସେହିମାନଙ୍କ ବିଷୟରେ ବୈଜ୍ଞାନିକ ବିଶ୍ଳେଷଣ କରାଯାଇପାରୁଛି । ଏହି ବିଶ୍ଳେଷଣରୁ ଜଣାପଡ଼ୁଛି ଯେ ଯୁବଗୋଷ୍ଠୀ ଓ କଲେଜ ଛାତ୍ରମାନେ ନିଶା ସେବନରେ ବୃଦ୍ଧ ଓ ମଧ୍ୟବୟସ୍କମାନଙ୍କ ଅପେକ୍ଷା ଆଗୁଆ ଅଛନ୍ତି । ଏହାର କାରଣ ଯୁବକ ଓ ଛାତ୍ରମାନେ ଦଳ ଦଳ ହୋଇ ଏକାଠି ନିଶା ବ୍ୟବହାର କରୁଛନ୍ତି । ସରକାରୀ ଓ ବେସରକାରୀ ସ୍ତରରେ ନିଶା ଦ୍ରବ୍ୟର ବିକ୍ରି ଦିନକୁ ଦିନ ଦ୍ରୁତଗତିରେ ବଢ଼ି ଚାଲିଛି । ଅଧିକରୁ ଅଧିକ ବିକ୍ରି ହେଉଥିବା ନିଶାଦ୍ରବ୍ୟଗୁଡ଼ିକ ଯୁବ ସମାଜ ଓ ଛାତ୍ରସମାଜ ପ୍ରତି ଏକ ଭୟଙ୍କର ଧମକ କହିଲେ ଅତ୍ୟୁକ୍ତି ହେବ ନାହିଁ । ନିଶାଗ୍ରସ୍ତ ବ୍ୟକ୍ତି ଏକ ସାମାଜିକ ସମସ୍ୟା । ବ୍ୟକ୍ତିଗତ ଓ ପାରିବାରିକ ଜୀବନରେ ସେମାନେ ନିଜକୁ କୌଣସି ରକମ ଖାପ ଖୁଆଇପାରନ୍ତି ନାହିଁ । ସେମାନଙ୍କୁ ନିଶା ସେବନ ରୋଗରୁ ମୁକ୍ତ କରିବାକୁ ହେଲେ ଚିକିତ୍ସା ସହ ଉପଯୁକ୍ତ ଥଇଥାନ ବନ୍ଦୋବସ୍ତ ମଧ୍ୟ କରିବା ଆବଶ୍ୟକ ।
ବର୍ତ୍ତମାନ ନିଶାଗ୍ରସ୍ତ ବ୍ୟକ୍ତିମାନଙ୍କର ନୈତିକ ମାନ ଓ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା । ଅପରାଧୀମାନଙ୍କୁ ପରୀକ୍ଷା କରି ଦେଖାଯାଇଛି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଶାଗ୍ରସ୍ତ ବା ନିଶା ଖାଇ ପାପକର୍ମ ଘଟାଇଛନ୍ତି । ତେଣୁ ୧୯୮୫ ମସିହାରେ ଭାରତ ସରକାର ନିଶା ବା ମାଦକ ଦ୍ରବ୍ୟର ବ୍ୟବହାର ବାରଣ ପାଇଁ ଏକ ଆଇନ ପ୍ରଣୟନ କରିଛନ୍ତି । ଏଥିରେ କେତେକ ନିର୍ଦ୍ଦିଷ୍ଟ ନିଶା ବ୍ୟବହାର ପାଇଁ ବାରଣ ଅଛି ଓ ସେଗୁଡ଼ିକ ରଖିବା ଓ ଅନ୍ୟମାନଙ୍କୁ ଖାଇବା ପାଇଁ ପ୍ରରୋଚନା କରିବା ଇତ୍ୟାଦି ଏକ ବଡ଼ ଅପରାଧ ହିସାବରେ ଯଥେଷ୍ଟ ଦଣ୍ଡ ଓ ଜେଲଭୋଗର ନିୟମାବଳୀ ପ୍ରଭୃତି ହୋଇଛି ।
ଔଷଧ ଦ୍ୱାରା ମଦ, ଗଞ୍ଜେଇ, ଭାଙ୍ଗ ଆଦି ନିଶାସେବନ କରିବାର ଇଚ୍ଛା ଓ ନିଶା ସେବନ ଦ୍ୱାରା ହେଉଥିବା ବିଭିନ୍ନ ମାନସିକ ସମସ୍ୟାର ଚିକିତ୍ସା କରିହେବ । ନିଶାସେବନ ବନ୍ଦ ପାଇଁ ଅନେକ ପ୍ରକାର ଔଷଧ ବାହାରିଲାଣି । କେତେକ ଔଷଧ ଅଛି ଯାହାକୁ ଖାଇଲେ ନିଶାସେବନ କରୁଥିବା ବ୍ୟକ୍ତିର ଯେଉଁ ଲକ୍ଷଣ ଦେଖାଯାଏ, ସେଗୁଡିକ କମିଯାଏ । ଏପରି ଔଷଧ ମଧ୍ୟ ଅଛି ଯାହାଦ୍ୱାରା ନିଶାସେବନ କରିବାକୁ ଇଚ୍ଛା ହେବନାହିଁ । ଆଉ ଗୋଟିଏ ପ୍ରକାର ବଟିକା ଅଛି ତା’ର ପ୍ରଭାବରେ, ମଦ ଖାଇଲେ ବାନ୍ତିହେବ ଓ ମୁଣ୍ଡ ବିନ୍ଧିବ । ନିଶାଗ୍ରସ୍ତ ବ୍ୟକ୍ତିମାନଙ୍କ ଚିକିତ୍ସା ବନ୍ଦୋବସ୍ତ କରିବା ସରକାରୀ ଓ ବେସରକାରୀ ସ୍ତରରେ ଏକ ନିହାତି ଆବଶ୍ୟକ । ଏହି ଚିକିତ୍ସା କେବଳ ଯେ ଡାକ୍ତରମାନଙ୍କ ଦ୍ୱାରା ସମ୍ଭବ ହେବ, ଏହା ଭାବିବା ଉଚିତ ନୁହେଁ । କାରଣ ଏହା ଗୋଟିଏ ସାମାଜିକ ବ୍ୟାଧି, ଦେଶୀୟ ଓ ଅନ୍ତର୍ଦେଶୀୟ ସମସ୍ୟା । ତେଣୁ ଏହାର ଚିକିତ୍ସା ପାଇଁ ସମାଜର ପ୍ରତ୍ୟେକ ସ୍ତରରୁ ସ୍ୱେଚ୍ଛାସେବୀ ଆବଶ୍ୟକ । ଆଇନଜ୍ଞ, ପୋଲିସ, ଶିକ୍ଷାବିତ୍, ମନସ୍ତତ୍ତ୍ୱବିତ୍ ତଥା ଡାକ୍ତର ଓ ମାନସିକ ରୋଗ ବିଶେଷଜ୍ଞଙ୍କ ବ୍ୟତୀତ ଏ ବିଷୟରେ ସମ୍ବାଦ ସରବରାହ ସଂସ୍ଥାର ସାହାଯ୍ୟ ନିହାତି ଆବଶ୍ୟକ ।
ମୋ:୯୧୩୨୪୩୩୩୩୩