ପାଇପ୍ ଫାଟି ରାସ୍ତାରେ ପାଣି : ବସୁଧା ଯୋଜନାରେ ଦୁର୍ନୀତି
ବରୀରୁ ପ୍ରଭାତ ମହାନ୍ତି : ପ୍ରତିଘରକୁ ପାଣି ଯୋଗାଇ ଦେବା ପାଇଁ ମସୁଧା ଯୋଜନାରେ କୋଟି କୋଟି ଟଙ୍କା ବିନିଯୋଗ ହୋଇଛି । କିନ୍ତୁ ଠିକାଦାରଙ୍କ ମନମାନି ଏବଂ ଲାଭଖୋର ମନୋବୃତି ପାଇଁ ଯୋଜନାର ସୁଫଳ ଲୋକେ ପାଇ ପାଇବାରୁ ବଂଚିତ ରହୁଛନ୍ତି । ବରୀ ବ୍ଲକରୁ ଏଭଳି ଅଭିଯୋଗ ଆସିଛି । ବ୍ଲକ ଭଅଁରା ପଞ୍ଚାୟତର ରାଇପୁର ଖେଳପଡିଆ ନିକଟରେ ନିର୍ମାଣ ହୋଇଛି ପାନୀୟ ଜଳପ୍ରକଳ୍ପ । ବସୁଧା ଯୋଜନାରେ ହୋଇଥିବା ପ୍ରକଳ୍ପରୁ ପାଣି ଯୋଗାଇ ଦିଆଯାଉଥିଲେ ହେଁ ତାହା କିନ୍ତୁ ସଂଖ୍ୟାଧିକ ପରିବାର ପାଇଁ ଅପହଞ୍ଚ ହୋଇଛି । ଭଅଁରା ଓ ବୋଦୁଅ ପଂଚାୟତର ଭଅଁରା, ରାଇପୁର, ବରିଲେ-ଶାସନ, ପୋଡ଼ପଡା, ପର୍ଯ୍ୟନ୍ତ ପାଳସାହି ବହୁ ଗ୍ରାମର ଘରକୁ ଘର ପାନୀୟ ଜଳ ଦେବା ପାଇଁ ଥିବା ବେଳେ ଏପର୍ଯ୍ୟନ୍ତ ବହୁ ପରିବାର ପାଣି ପାଇବାରୁ ବଞ୍ଚିତ ଅଛନ୍ତି । ତାହା ସହିତ ପୁରାତନ ଭଅଁରା ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଏବଂ ବହୁ ସ୍କୁଲରେ ପାନୀୟ ଜଳ ପହଁଚିପାରିନାହଁ । ପାଣି ମଧ୍ୟ ଭଅଁରା ଗ୍ରାମକୁ ସଠିକ ଭାବେ ଆସୁନଥିବାର ଅଭିଯୋଗ ହୋଇଛି । ଠିକାଦାରଙ୍କ ମନମାନି କାରଣରୁ ରାସ୍ତାର ବିଭିନ୍ନ ସ୍ଥାନରେ ପାଇପ ଲିକ ହୋଇ ରାସ୍ତାରେ ପାଣି ଭାସୁଛି । ଭଅଁରା ସରପଂଚ ପ୍ରଭାତି ପଲ୍ଲାଇ କୁହନ୍ତି ଠିକାଦାରକୁ ଆହୁରି ୩୦ ରୁ ୪୦ ଜଣ ଲୋକ ପାଣି ପାଇପ କନେକସନ ଦେବା କହିଲେ ମଧ୍ୟ କର୍ଣ୍ଣପାତ କରୁନାହିଁ । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ବବ ହୋଇନଥିଲା । ଏଠାରେ ସରକାରଙ୍କ କୋଟିଏ ଟଙ୍କାର ପାନୀୟ ଜଳପ୍ରକଳ୍ପ କାହା ପାଇଁ ବୋଲି ପ୍ରଶ୍ନ କରିଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି ।