ନବଜାତକଙ୍କ ଜୀବନ ବଞ୍ଚାଉଛି ସ୍ୱଚ୍ଛ ଭାରତ ମିଶନ, ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ: ପ୍ରଧାନମନ୍ତ୍ରୀ
(ଏଜେନ୍ସି) ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରେ ଦେଶରେ ବ୍ୟାପକ ଅଭ୍ୟାସଗତ ପରିବର୍ତ୍ତନ ଆଣିବା ସହ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ୱଚ୍ଛ ଭାରତ ଅଭିଯାନ ଏବେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ଏହି ଅଭିଯାନ ଦେଶକୁ ଖୋଲା ଶୌଚମୁକ୍ତ କରିବା ଯୋଗୁ ଭାରତରେ ବାର୍ଷିକ ପ୍ରାୟ ୬୦,୦୦୦ରୁ ୭୦,୦୦୦ ନବଜାତ ଶିଶୁଙ୍କ ମୃତୁ୍ୟକୁ ଏଡାଇ ଦିଆଯାଇ ପାରିଛି । ନିକଟରେ ନେଚର୍ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ପତ୍ରରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଏବଂ ଓହିୟୋ ଷ୍ଟେଟ୍ ୟୁନିଭର୍ସିଟୀର ଗବେଷକଙ୍କ ଦ୍ୱାରା ପ୍ରସ୍ତୁତ ଏହି ଗବେଷଣା ପତ୍ରରେ ଶିଶୁ ମୃତୁ୍ୟ ହାର ରୋକିବାରେ ସ୍ୱଚ୍ଛ ଭାରତ ଅଭିଯାନର ଯୋଗଦାନକୁ ଉଚ୍ଛ ପ୍ରଶଂସା କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗବେଷଣାପତ୍ରର ପରିଣାମକୁ ନେଇ ସୋସିଆଲ୍ ମିଡ଼ିଆ ଏକ୍ସରେ ସନ୍ତୋଷ ବ୍ୟକ୍ତ କରିବା ସହ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି ବୋଲି କହିଥିଲେ । ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ଶୌଚାଳୟ ପ୍ରସାରରେ ଉଲ୍ଲେଖନୀୟ ବୃଦ୍ଧି ହେବା ସହିତ ଖୋଲା ଶୌଚ ଭଳି କୁଅଭ୍ୟାସରେ ପରିବର୍ତ୍ତନ ଆସିଛି । କେବଳ ସେତିକି ନୁହେଁ, ପାଇପ୍ ଜଳ ଯୋଗାଣ ୧୬%ରୁ ବୃଦ୍ଧି ପାଇ ୭୮%ରେ ପହଞ୍ଚିଛି । ୧୧ କୋଟିରୁ ଅଧିକ ଘରକୁ ସ୍ୱଚ୍ଛ ରୋଷେଇ ଗ୍ୟାସ୍ ସଂଯୋଗ ଦିଆଯାଇଛି । ଏହାଦ୍ୱାର ସାମାଜିକ ଓ ସ୍ୱାସ୍ଥ୍ୟଗତ ପରିଣାମରେ ଉନ୍ନତି ଦେଖିବାକୁ ମିଳିଛି ।
ବିଭିନ୍ନ ଜିଲ୍ଲାରେ ଶୌଚାଳୟ ଉପଲବ୍ଧତା ଯୋଗୁ ଆନୁଷ୍ଠାନିକ ପ୍ରସବ, ମାତୃ ମୃତୁ୍ୟହାର ଏବଂ ପ୍ରସବପୂର୍ବ ଯନôରେ ସୁଧାର ଦେଖିବାକୁ ମିଳିଛି । ଅଧିକ ସଂଖ୍ୟାରେ ମହିଳା ଓ ଶିଶୁଙ୍କୁ ପୋଷଣ ଅଭିଯାନ ଓ ପିଏମ୍ ମାତୃ ବନ୍ଦନା ଯୋଜନା ଭଳି ପୋଷଣ ସେବା ଅଧିକ ମାତ୍ରାରେ ଉପଲବ୍ଧ ହୋଇଛି । ଯେଉଁଠି ପାଇପ୍ ଜଳଯୋଗାଣ ସୁବିଧା ଅଧିକ ରହିଛି ସେହି ଅଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନର ଅଧିକ ଲାଭ ମିଳିଛି । ଜଳଜୀବନ ମିଶନ କାର୍ଯ୍ୟକାରୀ ହେବା ଫଳରେ ୧୨ କୋଟି ଗ୍ରାମୀଣ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଗ୍ରାମାଞ୍ଚଳରେ ପାଇପ୍ ଜଳ ଯୋଗାଣର ପ୍ରସାର ଗତ ପାଞ୍ଚ ବର୍ଷ ମଧ୍ୟରେ ୧୬%ରୁ ୭୮%କୁ ବୃଦ୍ଧି ପାଇଛି । ଏହାଦ୍ୱାରା ସ୍ୱଚ୍ଛ ଭାରତର ଅଧିକ ସକାରାତ୍ମକ ସ୍ୱାସ୍ଥ୍ୟ ଲାଭ ମିଳିଛି ।