ପୋର୍ଟ ବ୍ଲେୟାର ନୁହେଁ ଏଣିକି ଶ୍ରୀବିଜୟପୁରମ
ାା ଏଜେନ୍ସି ।ା ନୂଆଦିଲ୍ଲୀ : ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାର ନାଁ ବଦଳିଛି । ଆଜି କେନ୍ଦ୍ର ସରକାର ପୋର୍ଟ ବ୍ଲେୟାର ନାଁକୁ ଶ୍ରୀ ବିଜୟପୁରମ କରିଛନ୍ତି । ଏଣିକି ପୋର୍ଟ ବ୍ଲେୟାର ଶ୍ରୀ ବିଜୟପୁରମ ନାଁରେ ପରିଚୟ ହାସଲ କରିବ । ଦେଶକୁ ଔପନିବେଶିକ ଛାପରୁ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ଉଦେ୍ଦଶ୍ୟରେ ପୋର୍ଟ ବ୍ଲେୟାରର ନାଁ ପରବିର୍ତ୍ତନ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି । ଗୋଟିଏ ଏକ୍ସ ପୋଷ୍ଟରେ ଅମିତ ଶାହ କହିଛନ୍ତି, ଶ୍ରୀବିଜୟପୁରମ ଆମ ସ୍ୱାଧୀନତା ସଂଗ୍ରାମ ଓ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଳଙ୍କୃତ କରିଥିଲା । ପୂର୍ବରୁ ଥିବା ନାଁ ଔପନିବେଶିକ ଛାପକୁ ଦର୍ଶାଉଥିଲା । ଶ୍ରୀବିଜୟପୁରମ ସ୍ୱାଧୀନତା ସଂଗ୍ରାମରେ ଆମେ ପାଇଥିବା ବିଜୟର ପ୍ରତୀକ । ସ୍ୱାଧୀନତା ସଂଗ୍ରାମରେ ଆଣ୍ଡାମାନ ନିକୋବର ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥିଲା ।
ଏହା ପ୍ରଥମ ସ୍ଥାନ ଯେଉଁ ଠାରେ ଆମ ତ୍ରିରଙ୍ଗାକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଉତ୍ତୋଳନ କରିଥିଲେ । ଏଠାରେ ଥିବା ସେଲୁଲାର ଜେଲରେ ବୀର ସାବରକର ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନ ଦେଶ ପାଇଁ ସଂଘର୍ଷ କରିଥିଲେ । ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଆମ ସ୍ୱାଧୀନତା ସଂଗ୍ରାମ ଓ ଇତିହାସରେ ଅତୁଳନୀୟ ସ୍ଥାନ । ଏହି ଦ୍ୱୀପପୁଞ୍ଜର ଅଞ୍ଚଳକୁ ଏକଦା ଚୋଳ ସାମ୍ରାଜ୍ୟର ନୌସେନା ବେସ ଭାବେ ବ୍ୟବହାର କରାଯାଉଥିବା ବେଳେ ଆଜି ଏହା ଆମର ରଣନୀତିର ଗୁରୁତ୍ୱପୂର୍ଣ୍ଣ ବେସ ପାଲଟିଛି ବୋଲି ଅମିତ ଶାହ କହିଛନ୍ତି । ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦି ଆଣ୍ଡାମାନ ନିକୋବରର ୩ଟି ଦ୍ୱୀପପୁଞ୍ଜର ନାଁ ବଦଳାଇଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ସେ ରୋସ ଆଇଲ୍ୟାଣ୍ଡ, ନେଲ ଆଇଲ୍ୟାଣ୍ଡ ଓ ହାଭଲକ ଆଇଲ୍ୟାଣ୍ଡ ନାଁ ବଦଳାଇଥିଲେ । ଏଗୁଡିକର ନାଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ, ସହିଦ ଦ୍ୱୀପ ଓ ସ୍ୱରାଜ ଦ୍ୱୀପ ରଖା ଯାଇଥିଲା ।