ଏସିଆର ଷଷ୍ଠ ତତଲା ସହର ଭୁବନେଶ୍ୱର

ଏସିଆର ଷଷ୍ଠ ତତଲା ସହର ଭୁବନେଶ୍ୱର

ଭୁବନେଶ୍ୱର : ତତଲା କଡ଼େଇରେ ଭାଜି ହେଉଛି ସାରା ଓଡିଶା ।  ଉପକୂଳ, ଉତ୍ତର, ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ର ଓଡ଼ିଶା ପ୍ରବଳ ତାତିରେ ଜଳୁଛି । ଆହୁରି ୨ ଦିନ ସିଝିବ ସାରା ରାଜ୍ୟ । ରାଜଧାନୀ ଭୁବନେଶ୍ୱରରେ ଚଳିତ ସିଜିନରେ ସର୍ବାଧିକ ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହା ସାରା ରାଜ୍ୟରେ ସର୍ବାଧିକ । ତାସହିତ ପ୍ରଥମ ଥର ପାଇଁ ରାଜ୍ୟର ଆଜିର ତାପମାତ୍ରା ସର୍ବୋଚ୍ଚ ୪୩ ଡିଗ୍ରୀ ଛୁଇଁଛି । ୪୩.୫ ଡିଗ୍ରୀ ସହିତ  ଆଜି ଭୁବନେଶ୍ୱର ଏସିଆର ଷଷ୍ଠ ଉତ୍ତପ୍ତ ସହର ପାଲଟିଛି । ଏସିଆର ୧୦ଟି ଉତ୍ତପ୍ତ ସହର ତାଲିକାରେ ଏହା ଷଷ୍ଠ ସ୍ଥାନରେ ରହିଛି  । ପ୍ରଥମ ସ୍ଥାନରେ ରହିଛି ମିଆମାଁରର ଚୌକ୍ ସହର ୪୫.୭, ଦ୍ୱିତୀୟ ମିଆମାଁରର ମାଗୱେ ସହର ୪୪.୩, ତୃତୀୟ ମିଆମାଁରର ନୟଉଙ୍ଗ ୟୁ ସହର ୪୪.୨, ଚତୁର୍ଥ ଭାରତର ନନ୍ଦୟାଲ ସହର ୪୩.୭, ପଞ୍ଚମ ମିଆମାଁରର ମିମ୍ବୁ ସହର ୪୩.୬, ଷଷ୍ଠରେ ଭୁବନେଶ୍ୱର ୪୩.୫, ସପ୍ତମରେ ଭାରତର କୁରନୁଲ ସହର ୪୩.୫, ଅଷ୍ଟମରେ ଥାଇଲାଣ୍ଡର ଟକ ସହର ୪୩.୫, ନବମରେ ଭାରତର ଗୁଲବର୍ଗ ସହର ୪୩.୩ ଓ ଦଶମରେ ଭାରତର ପିବିଓ ଅନନ୍ତପୁର ସହର ୪୩.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ  । 
ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହେଉଛି । ଗରମ ହାୱା ବହୁଛି । ପାରଦ ଆହୁରି ବଢିବାର ସମ୍ଭାବନା ମଧ୍ୟ ରହିଛି । ଆସନ୍ତା ୪୮ ଘଣ୍ଟା ପାଇଁ ରାଜ୍ୟର ଅର୍ଦ୍ଧାଧିକ ସହରରେ ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଏବଂ କିଛି ସ୍ଥାନରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି ।