ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି
ଭୁବନେଶ୍ବର: କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ମୃତାହତ ଘଟଣାରେ ଜାରି ରହିଛି ଜୋରଦାର ରାଜନୀତି । ଘଟଣା ଆରମ୍ଭରୁ ବିଜେପି ସରକାରକୁ ଘେରୁଛି ବିଜେଡି । ଆଜି ଆଉ ପାଦେ ଆଗେଇ ଯୋଗାଣ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଗିରଫ ଦାବି କରିଛି ବିଜେଡି ।
କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ବିଜେଡି । ସେହିପରି ଆଦିବାସୀମାନଙ୍କୁ ତାତ୍ସଲ୍ୟ କରିଥିବାରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କ୍ଷମା ମାଗନ୍ତୁ ବୋଲି ମଧ୍ୟ ବିଜେଡି ଦାବି କରିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ଆଦିବାସୀମାନଙ୍କର ପାରମ୍ପରିକ ଖାଦ୍ୟ ଆମ୍ବ ଟାକୁଆ ଜାଉ ବୋଲି ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି ହୋଇଛି । ତେବେ ଗରିବ ଲୋକଙ୍କ ପାଖରେ ଚାଉଳ ଆଗୁଆ ପହଁଚିବାର ବ୍ୟବସ୍ଥା ରହିଛି । ଯେଉଁ ବ୍ୟବସ୍ଥା ପୂର୍ବରୁ ଥିଲା ତାହା ୪ ମାସ ମଧ୍ୟରେ କିପରି ଭୁଶୁଡି ପଡିଲା । କାହିଁକି ଲୋକଙ୍କ ପାଖରେ ଚାଉଳ ପହଁଚିଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେଖାଶ୍ରୀ ସମାନ୍ତ ସିଂହାର । ବିଜେଡି ମୁଖପାତ୍ର ଲେଖାଶ୍ରୀ ସମାନ୍ତ ସିଂହାର କହିଛନ୍ତି, "ଅକ୍ଟୋବର-ନଭେମ୍ବର-ଡିସେମ୍ବରର ଚାଉଳ ଅକ୍ଟୋବରରେ ପହଁଚିବା କଥା । କିନ୍ତୁ କନ୍ଧମାଳ କେସ ସାମ୍ନାକୁ ଆସିବା ପରେ ସରକାର ଚାଉଳ ବାଣ୍ଟିଲେ । ସରକାର ତାଙ୍କ ଦାୟିତ୍ୱରେ ଅବହେଳା କରିଛନ୍ତି । କ୍ରିମିନାଲ ନେଗ୍ଲିଜେନ୍ସି କରିଛନ୍ତି ସରକାର । ମନ୍ତ୍ରୀ ମଣ୍ଡଳରେ ଥିବା ଆଦିବାସୀ ମନ୍ତ୍ରୀଙ୍କ ସହ ଖୋଦ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦିଅନ୍ତୁ । ଆଦିବାସୀମାନଙ୍କ ପାରମ୍ପରିକ ଖାଦ୍ୟ ଆମ୍ବ ଟାକୁଆ ଜାଉ ବୋଲି କୁହନ୍ତୁ । ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଭୁଶୁଡି ପଡିଛି । ଏହାର କାରଣ ହେଉଛି ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନେ ନିଜ ନିଜ ବେପାରରେ ବ୍ୟସ୍ତ । ସାଧାରଣ ଲୋକଙ୍କ ସମସ୍ୟା ସମାଧାନରେ କିଛି ଯାଏ ଆସେ ନାହିଁ ।"