ବିଜେଡିରେ ମିଶିଲେ ଅମୀୟଙ୍କ ସମର୍ଥକ

ବିଞ୍ଝାରପୁର: ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେଡି ପୁଣି ପ୍ରମିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଚଳିତ ଥର ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟ ପାଇଁ ଲକ୍ଷ ରଖିଛନ୍ତି । ଏଥିପାଇଁ ସେ ବିଶେଷ ରଣନୀତି ଆପଣାଉଥିବା ବେଳେ ଗତକାଲି ସଂନ୍ଧ୍ୟାରେ ବିଜେପିର ଅସନ୍ତୁଷ୍ଠ ନେତା ଅମୀୟ ମଲ୍ଲିକଙ୍କ ଦୃଢ ସଂଗଠକ ଗାୟତ୍ରୀ ପ୍ରଦାସ ଧଳ ବିଜେପି ଛାଡି ପ୍ରମିଳାଙ୍କ ନେତତ୍ୱରେ ବିଜେଡିରେ ଯୋଗଦେଇଛନ୍ତି । ଅମୀୟଙ୍କୁ ବିଜେପି ନିରାଶ କଲା ପରେ ଅମୀୟ ବିଜେପି ଛାଡି କଂଗ୍ରେସ ଆଡକୁ ମୁଁହାଉଁ ଥିବା ବେଳେ ଅମୀୟଙ୍କ ସଂଗଠନର ସେନାପତି ସାଜିଥିବା ଗାୟତ୍ରୀ ପ୍ରସାଦ ଧଳ ବିଜେଡିରେ ସାମିଲ ହେବା ଘଟଣା ବିଞ୍ଝାରପୁର ରାଜନୀତିକୁ ରୋଚକ ମୋଡକୁ ଆଣିଛି । ବିଞ୍ଝାରପୁର ବିକାଶ ବିଜେପି ନୁହେଁ ବରଂ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବିଜେଡି କରୁଛି ବୋଲି ମତ ରଖିଛନ୍ତି ଗାୟତ୍ରୀ । ଭୁବନେଶ୍ୱର ସ୍ଥିତ ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସ ଭବନ ଠାରେ ଗାୟତ୍ରୀ ବିଜେଡିରେ ବିଧିବଦ୍ଧ ଭାବେ ମିଶିବା ସହିତ ଦଳ ପାଇଁ ନିଷ୍ଠାପର ଭାବେ କାମ କରିବେ ବୋଲି କହିଛନ୍ତି । ପ୍ରମିଳା ମଲ୍ଲିକ ଗାୟତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ।