ବିଜେଡ଼ି ବୋହୁଛି ଫାଇଭ ଟି’ ବୋଝ

 ଭୁବନେଶ୍ୱର: ୨୦୨୨ ପଞ୍ଚାୟତ ନିର୍ବାଚନ ପରେପରେ ସାରା ଓଡ଼ିଶାରେ ଖଳିମାଟି କରୁଥିଲେ ଫାଇଭ ଟି  । ଯାହାଙ୍କ ପ୍ରକୋପରେ ବିଜେଡ଼ିର ବହୁ ରଥି ମହାରଥି ନିର୍ବାକ ଓ ନିଶ୍ଚଳ ହୋଇ କେବଳ ହୁକୁମକୁ ହିଁ ଅପେକ୍ଷା କରୁଥିଲେ  । ବିରୋଧୀଙ୍କ ମନରେ ବି କୋକୁଆ ଭୟ ଖେଳି ଯାଇଥିଲା  । ପାଟି ଖୋଲିଲେ ତୁଣ୍ଡ ବନ୍ଦ ପାଇଁ କଳ ବଳ କୌଶଳ ବି ପ୍ରୟୋଗ କରାଯାଉଥିଲା  । ସେତେବେଳେ ଫାଇଭ ଟି ଅର୍ଥାତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଥିଲେ ବିଜେଡ଼ିର ଶକ୍ତି  । କିନ୍ତୁ ଚବିଶ ନିର୍ବାଚନ ଫଳାଫଳ ତାଙ୍କୁ ଶକ୍ତି ବଦଳରେ ବୋଝରେ ରୂପାନ୍ତରିତ କରିଦେଇଛି  ।  ନିର୍ବାଚନରେ ହାରିବା ପରେ ବି ଏହି ବୋଝ ହାଲକା ହୋଇନାହିଁ  । ବରଂ ଏହି ବୋଝ ଆହୁରି ଜୋରରେ ବିଜେଡ଼ି ଉପରେ ଲଦି ହେଉଥିବା ପରିଲକ୍ଷିତ ହେଉଛି  । 
ନିର୍ବାଚନ ଫଳାଫଳ ବାହାରିବା ପରେ ଆଇ ୱାସ୍ ପାଇଁ ହଠାତ ପାଣ୍ଡିଆନ୍ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ବୋଲି ଘୋଷଣା କଲେ  ।   ଫଳରେ ଅନେକ ବିଜେଡ଼ି ନେତା ଆଶ୍ୱସ୍ତିର ନିଃଶ୍ୱାସ ମାରିଥିଲେ  । ଏମିତିକି ଗ୍ରହ ଗଲା ବୋଲି କହିବାକୁ ପଛାଇ ନଥିଲେ  । ସମସ୍ତେ ଭାବୁଥିଲେ ଧିରେଧିରେ ଫାଇଭ ଟି ବୋଝ ବିଜେଡ଼ି ମୁଣ୍ଡରୁ ଖସିଯିବ  । କିନ୍ତୁ ସେମିତି କିଛି ଘଟିଲା ନାହିଁ  । ବରଂ ତାହା ଦିନକୁ ଦିନ ଆହୁରି ଭାରାକ୍ରାନ୍ତ କରୁଥିବା ଦେଖିବାକୁ ମିଳିଛି  । ୯ ମାସ ହେଲା ବିଜେଡ଼ିର ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟାରେ ବ୍ରେକ୍ ଲାଗିଛି  । ଏବେବି ସେ ହିଁ ନବୀନ ନିବାସରେ ରହି ଗୋଟିଚାଳନା କରୁଛନ୍ତି  ।
ଯାହାର ଫାଇଦା ଏବେ ବିଜେପି ନେବାରେ ଲାଗିଛି  । ଫାଇଭଟି ସ୍କୁଲର ରଙ୍ଗମରା କାନ୍ଥକୁ ବିଜେପି ବିଧାୟକ ଓ ନେତାମାନେ ପ୍ରସଙ୍ଗ କରୁଛନ୍ତି  । ବିଧାନସଭାରେ ବି ପ୍ରତି ପ୍ରସଙ୍ଗରେ ଫାଇଭ ଟି କଥା ଉଠୁଛି  । ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପାଣ୍ଡିଆନ କି ଫାଇଭ ଟିର ନାଁ ନନେଇ କଟା ଘା’ରେ ଚୂନ ମାରିଛନ୍ତି  । ପର୍ଯ୍ୟଟନ ପ୍ରକଳ୍ପ କିଭଳି ଦଳୀୟ କର୍ମୀଙ୍କ ହାତରେ ଟେକି ଦିଆଯାଇଥିଲା ସେନେଇ ଇସାରା କରିଛନ୍ତି  । ଯେପର୍ଯ୍ୟନ୍ତ ବିଜେଡ଼ିରେ ଫାଇଭଟି ପ୍ରଚ୍ଛଦ ପଟରେ ରହି ଖେଳ କରୁଥିବେ ସେ ପର୍ଯ୍ୟନ୍ତ ଏହି ବୋଝ ବିଜେଡ଼ିକୁ ଭାରାକ୍ରାନ୍ତ କରିବା ନିଶ୍ଚିତ  । ବିଜେଡ଼ିର ଟାଣୁଆ ନେତା ଅରୁଣ ସାହୁ ବି ଫାଇଭଟି ପାଇଁ ଆମେ ମଲୁ ବୋଲି କହୁକହୁ କହିଦେଇଛନ୍ତି  । ଅନେକ ବିଜେଡ଼ି ନେତା ମଧ୍ୟ ପରାଜୟ ପାଇଁ ତାଙ୍କୁ ହିଁ ସିଧାସଳଖ ଦାୟୀ କରୁଛନ୍ତି  । କଥାକଥାକେ ବିଧାନସଭାରୁ ନେଇ ଚା’ ଖଟି ପର୍ଯ୍ୟନ୍ତ ଟେଣ୍ଟ ବାଡ଼ିଆ, ଦରି ଚେୟାର ବୁହା, କ୍ରୀତଦାସ, ଟ୍ରାଫିକ ଭଳି କଟାକ୍ଷ ଶୁଣିବାକୁ ମିଳୁଛି  । ଦିନ ଥିଲା ବିଧାନସଭାରେ ଫାଇଭଟି’ ନା ଉଠିଲେ ମାତ୍ରେ ବିଜେଡ଼ି ନେତାମାନେ ଚିହିଁକି ଉଠୁଥିଲେ  । ତୁରନ୍ତ ତାଙ୍କ ନାଁ ଗୃହ ବିବରଣୀରୁ ବାଦ୍ ପଡ଼ିବାର ବି ନଜିର ରହିଛି  । ଏବେ କିନ୍ତୁ ବିଧାନସଭାରେ ଯେକୌଣସି ପ୍ରସଙ୍ଗର ଆଲୋଚନା ବେଳେ ବିଜେପି ନେତାମାନେ ଫାଇଭଟି ଓ ପାଣ୍ଡିଆନଙ୍କ କଥା ଉଠାଉଛନ୍ତି  । ତେବେ ଫରକ ହେଉଛି, ଦିନେ ବିଜେଡ଼ି ନେତାମାନେ ପ୍ରତିଯୋଗିତା କରି ବିରୋଧ କରୁଥିବାବେଳେ ଏବେ କିନ୍ତୁ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି  । ସାମାଜିକ ଗଣମାଧ୍ୟମ ହେଉକି ବିଧାନସଭା, ବିଜେଡ଼ି ମୁହଁରେ ତୁଣ୍ଡି ଦେବା ହେଉକି ଅକଳରେ ପକାଇବା ପାଇଁ ବିଜେପି ଏଭଳି ଟ୍ରିକ୍ସକୁ ଆପଣାଇନେଇଛି କହିଲେ ଭୁଲ୍ ହେବନାହିଁ  ।
ଏବେବି ସାମାଜିକ ଗଣମାଧ୍ୟମରେ ଅନେକ ଯୁବ ଓ ଛାତ୍ର ବିଜେଡ଼ି ନେତାମାନେ ପାଣ୍ଡିଆନଙ୍କୁ ବିରୋଧ କରିବାରେ ହେଳା କରୁନାହାନ୍ତି  । ଯେପର୍ଯ୍ୟନ୍ତ ସେ ଦଳ ଚଳାଉଥିବେ ସେପର୍ଯ୍ୟନ୍ତ ବିଜେଡ଼ି କ୍ଷମତାକୁ ଆସିପାରିବ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି  । ତେବେ ନବୀନଙ୍କ ଡରରେ କେହି ପାଣ୍ଡିଆନଙ୍କ ବିରୋଧରେ ମୁହଁ ଖୋଲିପାରୁନାହାନ୍ତି  । ନବୀନ ନିଜେ ବି ଢ଼ାଲ ସାଜିବାରେ କାର୍ପଣ୍ୟ ପ୍ରକାଶ କରୁନାହାନ୍ତି  । ଏସବୁ ଚର୍ଚ୍ଚା ଭିତରେ ବିଜେଡ଼ି ଫାଇଭ ଟି ବୋଝ ମୁଣ୍ଡାଇ ଆଗକୁ ବଢିବ ନାଁ ଫାଇଭ ଟି ଭାରରେ ଦଳ ଛିନଛତର ହୋଇଯିବ ତାହା ଦେଖିବାକୁ ବାକି ରହିଲା  ।