ସରକାରଙ୍କୁ ଘେରିଲା ବିଜେଡି : ପଞ୍ଚାୟତରାଜ ଦିବସ ରାଜନୀତି
ଭୁବନେଶ୍ୱର: ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ପାଳନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ରାଜନୀତି ଜୋର ଧରିଛି। ବିରୋଧୀ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦଳ କହିଛି ”ମାର୍ଚ୍ଚ ୫ରେ ପାଳନ ନକରିବା ଦୁର୍ଭାଗ୍ୟଜନକ, ସଂକୀର୍ଣ୍ଣ ମନୋଭାବର ପରିଚୟ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଜୁ ବାବୁଙ୍କ ଅତୁଳନୀୟ ଅବଦାନକୁ ମନେ ପକାଇ ଦୀର୍ଘ ୩ ଦଶନ୍ଧି ଧରି ମାର୍ଚ୍ଚ ୫ରେ ଓଡ଼ିଶା ପାଳୁଥିଲା ପଞ୍ଚାୟତିରାଜ ଦିବସ। ଭାଜପା ସରକାର ଓଡ଼ିଶାବାସୀଙ୍କୁ ଏଥିରୁ ବଞ୍ଚିତ କରିବା ସଂକୀର୍ଣ୍ଣ ମନୋଭାବର ପରିଚୟ।”
ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ ବିବୃତିରେ କହିଛନ୍ତି। ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡିଶା ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି। ଏହା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ହୋଇ ପାରିଥିବାରୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ତତ୍କାଳୀନ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନର ଭାଜପା ସରକାର ଏହି ନିଷ୍ପତିକୁ ବଦଳେଇ ଦେଇ ଓଡ଼ିଶାର ଗୌରବକୁ କ୍ଷୁଣ୍ଣ କରିଛନ୍ତି। ରାଜ୍ୟ ବିଜେପି ସରକାରଙ୍କ ରକାରଙ୍କ ଏହି ଅବିଚାର ପ୍ରତି ଓଡ଼ିଶାର ଜନ ସାଧାରଣ ବିଚାର କରିବେ ବୋଲି ମିଶ୍ର କହିଛନ୍ତି। ସୋମବାର ରାଜ୍ୟ ସରକାର ଓଡିଶାରେ ମାର୍ଚ୍ଚ ୫ ତାରିଖକୁ ଆଉ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାନଯାଇ ଅପ୍ରେଲ ୨୪ ତାରିଖରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଦିବସ ମଧ୍ୟ ଅପ୍ରେଲ ୨୪ ତାରିଖରେ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ମାର୍ଚ୍ଚ ୫ ତାରିଖ ହେଉଛି ଓଡିଶାର ମହାନ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହାକୁ ରାଜ୍ୟ ସରକାର ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବ ନାହିଁ।