ନବୀନଙ୍କୁ ମହିଳା ଭୋଟ୍ ବ୍ୟାଙ୍କ ଚିନ୍ତା ଘାରିଛି:ବିଜେପି
ଭୁବନେଶ୍ୱର: ବିଜେଡି ସୁପ୍ରିମୋ ବୁଧବାର ବିଜେପିକୁ କଡ଼ା ଟାର୍ଗେଟ୍ କରିଥିବା ବେଳେ ବିଜେପି ମଧ୍ୟ ଏହାର ପାଲଟା ଜବାବ ଦେଇଛି। ବିଜେପିର ମୁଖପାତ୍ର ଉର୍ମିଳା ମହାପାତ୍ର ନବୀନଙ୍କୁ କଡ଼ା କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ବିଜେଡି ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି। ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମହିଳା ଭୋଟ୍ ବ୍ୟାଙ୍କ ଚିନ୍ତା ଘାରିଛି। କାଳେ ମହିଳାଙ୍କ ଭୋଟ୍ ବ୍ୟାଙ୍କ ଭାଙ୍ଗିଯିବ ସେନେଇ ନବୀନ ଭୟଭୀତ ହେଉଛନ୍ତି। ମହିଳାଙ୍କୁ ସ୍ବାବଲମ୍ବୀ ପାଇଁ ବିଜେପି ପ୍ରଚେଷ୍ଟାରେ ବିଜେଡି ସବୁବେଳେ ବାଧା ସୃଷ୍ଟି କରୁଛି ବୋଲି ଉର୍ମିଳା କହିଛନ୍ତି।
ସୂଚନାଯୋଗ୍ୟ, ବୁଧବାର ଶଙ୍ଖଭବନରେ ଆୟୋଜିତ ବିଜେଡି ଜିଲା କର୍ମକର୍ତ୍ତା ସମାବେଶରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପାକୁ କଡ଼ା ଟାଗେଟ୍ କରିଥିଲେ। ନବୀନ କହିଥିଲେ, ବିଜେପି ନିର୍ବାଚନ ସମୟରେ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଛି। ହାତୀ ଦେବୁ, ଘୋଡ଼ା ଦେବୁ କହି କାମରେ ଜିରୋ ବୋଲି ନବୀନ ସମାଲୋଚନା କରିଛନ୍ତି। ମା’ ମାନଙ୍କ ବିଶ୍ୱାସ ସହ ଭାଜପା ଖେଳୁଛି, ମା’ ମାନେ ଉଚିତ ଜବାବ ଦେବେ।
ସୁଭଦ୍ରା ଯୋଜନା ହେଉ କି ୩୦୦ ୟୁନିଟ୍ ମାଗଣା ବିଜୁଳି, କେବଳ ମିଛ ହିଁ ବିଜେପିର ସାହାରା ସାଜିଛି। ୨ ବର୍ଷରେ ୫୦,୦୦୦ ଟଙ୍କା ଦେବେ ବୋଲି କହିଥିଲେ। ଏବେ କହୁଛନ୍ତି ୫ ବର୍ଷରେ ଦେବେ। ତା’ ପୁଣି ୬ ମାସରେ ମାତ୍ର ୫ ହଜାର ଟଙ୍କା। ସବୁ ମହିଳାଙ୍କୁ ଦେବେ ବୋଲି କହି ଏବେ କିଛି ମହିଳାଙ୍କୁ ଦେଉଛନ୍ତି।