କେନ୍ଦୁପତ୍ର ଶ୍ରମିକଙ୍କର ସଶକ୍ତିକରଣ କାର୍ଯ୍ୟକ୍ରମ : କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ଗ୍ରାମ୍ୟ ଅର୍ଥନୀତି ସୁଦୃଢ

 ସମ୍ବଲପୁର  : ପୂର୍ବ ସରକାର କେବଳ ପ୍ରତିଶ୍ରୁତି ଦେଉଥିଲେ, ମାତ୍ର ଜନଆଶୀର୍ବାଦରେ ଓଡ଼ିଶାରେ ହୋଇଥିବା ଡବଲ ଇଞ୍ଜିନ ସରକାର କଥା ଦେଇ କଥା ରଖୁଥିବା ସରକାର ବୋଲି ଶୁକ୍ରବାର ‘କେନ୍ଦୁପତ୍ର ଶ୍ରମିକଙ୍କର ସଶକ୍ତିକରଣ – ଅଧିକାର, ସୁଯୋଗ ଓ କଲ୍ୟାଣ’ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଏବଂ ଶ୍ରମ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ କେନ୍ଦୁପତ୍ର ଭାଇ ଭଉଣୀମାନଙ୍କର ବଡ଼ ଯୋଗଦାନ ରହିଛି । ସେମାନଙ୍କୁ ସଶକ୍ତ କରିବା ସହ ସ୍ଥାୟୀ ସମସ୍ୟାର ସମାଧାନ କରିବା ପାଇଁ ଆମ ଡବଲ ଇଞ୍ଜିନ ସରକାର ଯନôଶୀଳ । କେନ୍ଦୁପତ୍ର ଶ୍ରମିକଙ୍କର ସବୁ ପ୍ରତିଶ୍ରୁତି ପୂରଣ କରାଯିବ । ଏ ଦିଗରେ ଆଜିର କାର୍ଯ୍ୟକ୍ରମ ସ୍ୱାଗତଯୋଗ୍ୟ ପଦକ୍ଷେପ ।
ଆମ ସରକାର ସବକା ସାଥ୍- ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସରେ କାମ କରୁଥିବା ସରକାର । ଏବେ ଡବଲ ଇଞ୍ଜିନ ସରକାରରେ ଧାନର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି କରାଯାଇଛି । ସୁଭଦ୍ରା ଯୋଜନା ପ୍ରାୟ ଏକ କୋଟି ମାଆ ଭଉଣୀମାନଙ୍କୁ ସଶକ୍ତ କରିଛି । ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କେନ୍ଦୁପତ୍ର ତୋଳାଳି ଏବଂ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ଶିକ୍ଷାବୃତ୍ତି, ମୃତୁ୍ୟକାଳୀନ, ଅନୁକମ୍ପାମୂଳକ ଏବଂ ଅନ୍ୟାନ୍ୟ ସହାୟତା ରାଶି ଆଦି ବିତରଣ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଓ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।