ଡବଲ ଇଂଜିନ ଡବଲ ବିକାଶ ନୁହେଁ, ଡବଲ ଧୋକା: ବିଜେଡି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକୁ୍ୟମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ରାଜ୍ୟବାସୀଙ୍କ ସମ୍ମୁଖରେ ରଖିବା ସହିତ, ଡବଲ ଇଂଜିନ ସରକାର ରାଜ୍ୟବାସୀଙ୍କ ପାଇଁ ଡବଲ ଧୋକା ଓ ନିର୍ବାଚନ ସମୟର ପ୍ରତିଶ୍ରୁତି ବାସ୍ତବରେ ପ୍ରତାରଣାରେ ପରିଣତ ହୋଇଛି ବୋଲି କହିଛନ୍ତି । ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜନୈତିକ ବ୍ୟାପାର କମିଟି ସଦସ୍ୟ ସଞ୍ଜୟ କୁମାର ଦାସବର୍ମା, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ଶ୍ରୀ ସଞ୍ଜୟ କୁମାର ଦାସବର୍ମା କହିଥିଲେ, ଶ୍ରୀମନ୍ଦିର ତଥା ତୀର୍ଥକ୍ଷେତ୍ର ପୁରୀର ବିକାଶ ପାଇଁ ନବୀନ ସରକାରଙ୍କ ଦ୍ୱାରା ବ୍ୟାପକ କାର୍ଯ୍ୟକ୍ରମ କରାଯାଇଥିଲା ବେଳେ ଗତ ଏକ ବର୍ଷରେ ଏହି ବିକାଶ କାର୍ଯ୍ୟ ଠପ ହୋଇ ଯାଇଛି । ଗତ ନିର୍ବାଚନ ସମୟରେ ବିଜେପି ତରଫରୁ ଶ୍ରୀମନ୍ଦିରର ରନôଭଣ୍ଡାର ଚାବି ଚୋରି ହୋଇଛି ବୋଲି କୁହାଯାଇଥିଲା ଓ ଏହା ପାତାଳରେ ବି ରହିଥିଲେ ମଧ୍ୟ ଆମେ ତାକୁ ଖୋଜି ଆଣିବୁ । କିନ୍ତୁ ସରକାରକୁ ଆସିବା ପରେ ଚାବି ସମ୍ପର୍କରେ ଉଚ୍ଚ ନ୍ୟାୟାଳୟରେ ସରକାରଙ୍କ ତରଫରୁ ଦାଖଲ କରାଯାଇଥିବା ଏକ ସତ୍ୟପାଠରେ ଚାବି କଥାକୁ ସାର୍ବଜନୀନ କରି ପାରିବୁ ନାହିଁ ବୋଲି କହିଥିଲେ । ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ଗତ ଏକ ବର୍ଷରେ, ରାଜ୍ୟର ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡିଛି । ରାଜ୍ୟରେ, କୁକର୍ମ, ଅପହରଣ, ହତ୍ୟା ମହିଳାମାନଙ୍କ ଉପରେ ନିର୍ୟ୍ୟାତନା ଘଟଣାରେ ଅହେତୁକ ବୃଦ୍ଧି ପାଇଛି, ଯାହାଯୋଗୁ, ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ।