ବିଜେଡିରୁ ୨ ଜିଲ୍ଲାପରିଷଦ ସଭ୍ୟଙ୍କ ଇସ୍ତଫା

ନୀଳଗିରି  : ଦୀର୍ଘଦିନର କଳ୍ପନାଜଳ୍ପନା ଏବଂ ଚର୍ଚ୍ଚାପରେ ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ଦୁଇ ଜିଲ୍ଲାପରିଷଦ ସଭ୍ୟ । ନୀଳଗିରି ବିଜେଡିର ଦଳରେ ଜଣେ ତୁଙ୍ଗନେତା, ପୂର୍ବତନ ବିଜେଡ଼ି ଜିଲ୍ଲା ଉପସଭାପତି ତଥା ୧୩ନଂ ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ ଏବଂ ୧୧ନଂ ଜିଲ୍ଲାପରିଷଦ ସଭ୍ୟା ସୁବର୍ଣା ମଞ୍ଜରୀ ସିଂ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ନୀଳଗିରି ବିଜେଡିର ସର୍ବମାନ୍ୟ ନେତା କୁହାଯାଉଥିବା ସନ୍ତୋଷ ଖଟୁଆ ଦଳରେ ଥିବାବେଳେ ଏହି ଦୁଇସଦସ୍ୟ ତାଙ୍କ ଅନୁଗତଭାବେ ଜଣାଶୁଣା ଥିଲେ । ହେଲେ ଖଟୁଆଙ୍କୁ ବିଜେଡ଼ି ଦଳରୁ ଟିକେଟ ନମିଳିବାରୁ ସେ ଦଳଛାଡ଼ି ବିଜେପିରେ ମିଶିଥିଲେ ଏବଂ ଦଳ ତାଙ୍କୁ ଟିକେଟ ମଧ୍ୟ ଦେଇଥିଲା । ଟିକେଟପାଇ ୨୦୨୪ମସିହା ନିର୍ବାଚନରେ ଖଟୁଆ ବିଜେପି ଦଳରୁ  ଭଲ ବ୍ୟବଧାନରେ ଜିତିଥିଲେ । ମାତ୍ର ତାଙ୍କର ଅନୁଗତ ଥିବା ୧୧ ନମ୍ବର ଓ ୧୩ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ବିଜେଡ଼ି ଛାଡିନଥିଲେ । ମାତ୍ର ବର୍ଷେପରେ ହଠାତ୍ ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିବା ଉକ୍ତ ଦୁଇନେତା ଆଜି ବିଜେପିରେ ସାମିଲ ହେଉଥିବା ଚର୍ଚ୍ଚା ଜୋର ଧରିଛି । ସନ୍ତୋଷ ଖଟୁଆ ରାଜନୈତିକ ଗୁଟି ଚଳାଇ ଆଗାମୀ ଦିନରେ ବ୍ଲକ ଦଖଲ କରିବା ସହିତ ନୀଳଗିରି ମାଟିରୁ ବିଜେଡିକୁ ଦୁର୍ବଳ କରିବାର ଯୋଜନା ରଖିଥିବା ରାଜନୈତିକ ସମୀକ୍ଷକ କହିଛନ୍ତି ।