ବିକଶିତ ଓଡ଼ିଶା ପରାମର୍ଶ କର୍ମଶାଳା
ବାଲେଶ୍ୱର : ସ୍ଥାନୀୟ ନୋସି ଅଡ଼ିଟରିୟମ ଠାରେ ଆଞ୍ଚଳିକ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିବାବେଳେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକ ସାଂସଦ ଅଭିମନୁ୍ୟ ସେଠି, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ, ବସ୍ତା ବିଧାୟିକା ସୁବାସିନୀ ଜେନା, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ଜିଲ୍ଲାପରିଷଦର ସଭାପତି ନାରାୟଣ ପ୍ରଧାନ, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଉଷା ପାଢ଼ୀ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ମଧୁସ୍ମିତା ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କର୍ମଶାଳାର ଆବଶ୍ୟକତା ଓ ଉଦେ୍ଦଶ୍ୟ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିଜ ବକ୍ତବ୍ୟରେ ଓଡ଼ିଶାର ୨୦୩୬ ଭାଷାଭିତ୍ତିକର ରାଜ୍ୟ ଭାବେ ଶହେ ବର୍ଷ ପୂର୍ତ୍ତି ଏବଂ ଭାରତର ୨୦୪୭ରେ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ୩୬ଟି କ୍ଷେତ୍ର ଉପରେ ଦୂରଦୃଷ୍ଟି ରଖି କାର୍ଯ୍ୟ କଲେ ବିଶେଷ ଚର୍ଚ୍ଚା ଆଲୋଚନା ମାଧ୍ୟମରେ ନିଷ୍କର୍ସରେ ଉପନୀତ ହୋଇପାରିଲେ ବିକଶିତ ସୁନିଶ୍ଚିତ ବୋଲି ପ୍ରକାଶ କରିଥିଲେ । ସେହିପରି ବାଲେଶ୍ୱରର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ଦୁର୍ନୀତିର ମୂଳ ଉତ୍ପାଟନ ଉପରେ ଗୁରୁତ୍ୱାରୋପ କରିଥିଲେ । ପରେ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, ପ୍ରତିନିଧିମାନଙ୍କୁ ନେଇ ତିନୋଟି ପର୍ଯ୍ୟାୟରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ବାଲେଶ୍ୱର ସଦର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମ୍ଲାନ ନାୟକ ପରାମର୍ଶ କର୍ମଶାଳାର ପରିଚାଳନା କରିଥିଲେ । ସହରର ଶିଳ୍ପପତିମାନେ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମରେ ସୁଧାର, ମହାରାଣୀ କୁମାରୀ ମୃଣାଳିକା ଭଞ୍ଜ ଦେଓ ପର୍ଯ୍ୟଟନ କ୍ଷେତ୍ରରେ ତାରକା ହୋଟେଲର ପୁଞ୍ଜିନିବେଶ, ଆଦିବାସୀଙ୍କ ପାରମ୍ପରିକ ଜ୍ଞାନ, କଳାକୃତି ଓ ଆୟୁର୍ବେଦ, ସମ୍ମାନୀୟ ପୂର୍ବତନ ବାଲେଶ୍ୱର ସାଂସଦ ଶ୍ରୀ ରବୀନ୍ଦ୍ର କୁମାର ଜେନାଙ୍କ କୃଷି, ମତ୍ସ୍ୟ ଓ ବନ୍ଦରର ବିକାଶ, କ୍ରୀଡ଼ାବିତ୍ ଦୁତି ଚାନ୍ଦ କ୍ରୀଡ଼ାର ଭିତ୍ତିଭୂମି ସୁଧାର, ପୁଲିସ ପ୍ରଶାସନର ଡିଆଇଜି (ପୂର୍ବାଞ୍ଚଳ)ଡ.ସତ୍ୟଜିତ ନାଏକ, ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଆଧୁନିକୀକରଣ ଓ ସାଇବର ସୁରକ୍ଷା, ପିଏକ୍ସଇ ନିଦେ୍ର୍ଦଶକ ଓ ଆଇଟିଆର ନିଦେ୍ର୍ଦଶକ ବିଜ୍ଞାନ ଓ ଗବେଷଣା ଦେଶର ବିକାଶ ଓ ଆତ୍ମନିର୍ଭରତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପରିଶେଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିକାଶ ଧନ୍ୟବାଦ ଅର୍ପଣ କରିଥିଲେ ।