ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ଓ ବିଭ୍ରାଟଘଟଣା : ରାଜ୍ୟପାଳଙ୍କୁ ଭେଟିଲା ବିଜେଡି

 ଭୁବନେଶ୍ୱର : ଚଳିତବର୍ଷ ରଥଯାତ୍ରାରେ ହୋଇଥିବା ବ୍ୟାପକ ଅବ୍ୟବସ୍ଥା ଓ ଦଳାଚକଟାରେ ୩ ଜଣଙ୍କ ମୃତୁ୍ୟକୁ ନେଇ ବିଜୁ ଜନତା ଦଳ ତରଫରୁ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି  । ଏଥିରେ ଉଚ୍ଚନ୍ୟାୟାଳୟର ଏକ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବା ପାଇଁ ଦାବି ରଖାଯାଇଛି । ରଥଯାତ୍ରାର ବାକିଥିବା ନୀତି ଓ କାର୍ଯ୍ୟସୂଚୀ କିପରି ତ୍ରୁଟି ଶୁନ୍ୟ ଭାବେ ଅନୁଷ୍ଠିତ ହେବ, ସେନେଇ ରାଜ୍ୟପାଳ ମହୋଦୟ ନିଜେ ହସ୍ତକ୍ଷେପ କରି ତ୍ରୁଟିଶୂନ୍ୟ କରିବା ପାଇଁ ବିଜୁ ଜନତା ଦଳ ତରଫରୁ ଅନୁରୋଧ କରାଯାଇଛି ।
ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ୱଙ୍କ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ରାଜ୍ୟପାଳ ହରିବାବୁକମ୍ଭମ୍ପତିଙ୍କୁ ଭେଟି ଚଳିତବର୍ଷ ରଥଯାତ୍ରା ସମୟରେ ହୋଇଥିବା ବ୍ୟାପକ ଅବ୍ୟବସ୍ଥା ଓ ବିଭ୍ରାଟ ସମ୍ପର୍କରେ ଆଲୋଚନା କରିବା ସହିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ପବିତ୍ର ରଥଯାତ୍ରା ସମୟରେ ଘଟିଥିବା ଅବ୍ୟବସ୍ଥା କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି ବୋଲି ସ୍ମାରକପତ୍ରରେ ଦାବି କରାଯାିଇଛି ।ରାଜ୍ୟ ବିଜେପି ସରକାରଙ୍କ ବେପରୁଆ ମନୋଭାବ ଓ ସମ୍ବେଦନ ହୀନତା ଯୋଗୁଁ, ଏ ବର୍ଷ ରଥଯାତ୍ରା ଦିନ ଭିଡ଼ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡିଥିଲା  । ପରିଣାମ ସ୍ୱରୁପ ପ୍ରଥମ ଦିନ ରଥଟଣା ସମୟରେ ୭୫୦ ଜଣ ଭକ୍ତ ଆହତ ହୋଇଥିଲେ । ସେହିପରି, ଗୁଣ୍ଡିଚାମନ୍ଦିର ସମ୍ମୁଖରେ ତିନି ରଥ ଠିଆହୋଇଥିବା ସମୟରେ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ନଥିବାକାରଣରୁ ଭକ୍ତମାନଙ୍କ ଭିତରେ ଦଳା ଚକଟା ହୋଇ୩ ଜଣ ପ୍ରାଣହରାଇଥିଲେ । ରଥଯାତ୍ରା ଦିନ ଭୁବନେଶ୍ୱରରୁ ରଥଯାତ୍ରାର ସମ୍ୱାଦ ସଂଗ୍ରହ ପାଇଁ ଯାଇଥିବା ବରିଷ୍ଠ ସାମ୍ୱାଦିକ ମାନଙ୍କ ପାଖରେ କର୍ଡନ ପାସ ଥିବା ସତ୍ତ୍ୱେ ସେମାନଙ୍କୁ କର୍ଡନ ଭିତରକୁ ଛଡାଯାଇ ନଥିଲା, ଓଲଟି ପୁଲିସ ମାଡରେ ୬ ଜଣ ବରିଷ୍ଠ ସାମ୍ୱାଦିକ ଆହତ ହୋଇଥିଲେ । ଏ ସମସ୍ତ ଘଟଣାର ତଦନ୍ତ କରିବାକୁ ଦାବି କରିଥିଲେ  ।