ବିଜେଡି ହାତରୁ ଯିବ ବଡ଼ଚଣା ବ୍ଲକ!
ଯାଜପୁର: ବିଜେଡ଼ି ହାତରୁ ଖସିଯିବ ବଡ଼ଚଣା ବ୍ଲକ । ଏଭଳି ଚର୍ଚ୍ଚା ଆଲୋଚନା ରାଜନୈତିକ ଖଟିରେ ହେବାରେ ଲାଗିଛି । ହେଉଥିବା ଚର୍ଚ୍ଚା ଆଲୋଚନା ଅନୁଯାୟୀ ବିଜେପି ବିଧାୟକ ଅମର ନାୟକଙ୍କ ସହ ପ୍ରାକ୍ତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀଙ୍କ ଲଗାସି ନିକଟପାଖରେ ସାମିଲ ହେବାକୁ ଯାଉଛନ୍ତି । ଅମର ଲିଗାସିଙ୍କ ମଧ୍ୟରେ ବଡ଼ଚଣା ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ରହିଥିବା ଏବଂ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରୁ ଦୁରେଇ ରହିଥିବାରୁ ସେମାନେ ବିଧାୟକ ଅମରଙ୍କ ନେତୃତ୍ୱରେ ବିଜେପିରେ ଯୋଗ ଦେବେ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି ।
ସାଧାରଣ ନିର୍ବାଚନରେ ଗଡ଼ ଭୁଷୂଡ଼ି ପଡ଼ିବା ପରେ ବଡ଼ଚଣା ବିଜେଡ଼ିରେ ଉପୁଜିଥିବା ନେତୃତ୍ୱ କନ୍ଦଳ ଏହାର କାରଣ ବୋଲି କୁହାଯାଉଛି । ବିଜେଡ଼ି କନ୍ଦଳ କୈାଣସି ବି ସମୟରେ ବିଷ୍ପୋରକ ରୂପ ନେବାର ସମ୍ଭାବନା ରହିଛି । ଯଦି ବଡ଼ଚଣାର ରାଜନୈତିକ ଖଟିରେ ହେଉଥିବା ଆଲୋଚନାକୁ ବିଶ୍ୱାସକୁ ନିଆଯାଏ, ତେବେ ଚଳିତ ମାସରେ ବିଜେଡ଼ିର ଛାମୁଆ ନେତା ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇପାରନ୍ତି । ବିଶେଷ କରି ବଡ଼ଚଣା ବିଜେଡିର ମଙ୍ଗ ଧରିଥିବା କ୍ୟାପଟେନ ରାଜନାରାୟଣ ମହାପାତ୍ର ଏବଂ ଜିଲା ପରିଷଦ ସଭ୍ୟ ଓ ନୂତନ କରି ହୋଇଥିବା ସଭାପତିଙ୍କୁ ଗ୍ରହଣ କରିପାରୁନଥିବା ଛାମୁଆ ନେତା କରଛଡ଼ା ଦେବା ସହ ବିଜେପି ନେତାଙ୍କ ପାଖରେ ବସାଉଠା ଆରମ୍ଭ କରିଦେଇଛନ୍ତି । ଦୁଇ ଜିଲାପରିଷଦ ସଭ୍ୟ ମଧ୍ୟ ବିଜେପି ସହ ଯୋଗ ସୂତ୍ରରେ ରହିଛନ୍ତି । ଏପରିକି ଜଣେ ଜିଲା ପରିଷଦ ସଭ୍ୟ ଏହି ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ବିଜେଡ଼ିର ନୂଆ ନେତା ତାଙ୍କୁ କେବଳ ନୁହେଁ ଦଳର ଅନ୍ୟ ଛାମୁଆ ନେତାଙ୍କୁ ଉପେକ୍ଷା କରୁଥିବା କଥା କହିଥିଲେ । ଏପରିକି ଜୁନ ମାସରେ ବିଜେଡ଼ି ନେତା ରାଜନାରାୟଣ ମହାପାତ୍ରଙ୍କ ଦ୍ୱାରା ହୋଇଥିବା ସମ୍ବର୍ଦ୍ଧନା ସଭାକୁ ଡ଼କରା ନହେବା ହେଉ କି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ କାହାରିକୁ ଲୋଡ଼ାଯାଉନି, ସେଭଳି କ୍ଷେତ୍ରରେ କିଏ କେଉଁ ଆଡ଼େ ଯିବ ତାହା ସେମାନଙ୍କ ଉପରେ ନିର୍ଭର କରେ । ଜିଲା ପରିଷଦଙ୍କ ଏଭଳି ବୟାନ ଗୋଟିଏ କଥା ସ୍ପଷ୍ଟ କରୁଛି, କି ବଡ଼ଚଣା ରାଜନୀତିରେ ନୂଆ ସମୀକରଣ ଘଟିବାକୁ ଯାଉଛି । ବିଜେଡିର ଏକାଧିକ ଛାମୁଆ ନେତା ଓ କର୍ମୀ ଅମରଙ୍କ ନେତୃତ୍ୱରେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଯେଉଁମାନେ କି ମୂଳ ବିଜେଡି ଭାବେ ଦୀର୍ଘ ବର୍ଷ ଧରି ବଡଚଣା ରାଜନୀତିରେ ସକ୍ରିୟ ରହି ଆସିଛନ୍ତି । ଅଣ କଂଗ୍ରେସରୁ ରାଜନୀତି ଆରମ୍ଭ କରି ବଡ଼ଚଣାରେ କଂଗ୍ରେସ ସହ ପଞ୍ଚାୟତରୁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ଲଢେଇ କରି ଆସିଥିବା ଛାମୁଆ ନେତା ରାଜନାରାୟଣଙ୍କ ପରି ମୂଳ କଂଗ୍ରେସ ନେତାଙ୍କ ନେତୃତ୍ୱକୁ ଗ୍ରହଣ କରିବା ବଦଳରେ ବିଜେପିରେ ସାମିଲ ହେବାକୁ ପସନ୍ଦ କରିଛନ୍ତି । ସେମାନଙ୍କ ମଧ୍ୟରେ ବଡ଼ଚଣା ବ୍ଲକ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ରହିଛନ୍ତି । ଯିଏକି ରାଜନାରାୟଣଙ୍କ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅନୁପସ୍ଥିତ ରହିବା ହେଉ କି ବଡ଼ଚଣା ବ୍ଲକରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଡ଼ାଇରିଆ ସମୀକ୍ଷା ବୈଠକରେ ଉପସ୍ଥିତ ରହିବା ଘଟଣା ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି । ବଡ଼ଚଣା ରାଜନୀତି ଉପରେ ଦୃଷ୍ଟି ପକାଇଲେ ପ୍ରାକ୍ତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ୬ଥର ନିର୍ବାଚିତ ହୋଇ ନିଜର ସଂଗଠନକୁ ମଜବୁଦ କରିପାରିଥିଲେ । ଗାଁ ଗାଁରେ ଅମରଙ୍କ ସଂଗଠନ ରହିଥିଲେ । ଅମରଙ୍କ ହାତ ତିଆରି ନେତା ବ୍ଲକ ଅଧ୍ୟକ୍ଷ ଠାରୁ ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ପଞ୍ଚାୟତ ପ୍ରତିନିଧି ରହିଛନ୍ତି । ବିଜେଡିର ଜଣେ ଟାଣୁଆ ନେତା ହୋଇଥିଲେ ହେଁ ଗଲା ନିର୍ବାଚନରେ ବିଜେଡ଼ି କିନ୍ତୁ ତାଙ୍କୁ ଉପେକ୍ଷା କରି ସିନେ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶନୀଙ୍କୁ ପ୍ରାର୍ଥି କରିଥିଲା । ଏପରିକି କଂଗ୍ରେସରୁ ଆସିଥିବା ରାଜନାରାୟଣ ହୁଅନ୍ତୁ କି ଜନ୍ମେଜୟ ଲେଙ୍କାଙ୍କୁ ମଧ୍ୟ ବିଜେଡି ନିରାଶ କରିଥିଲା । ହେଲେ ଫଳାଫଳ ବିଜେପି ସପକ୍ଷରେ ଯାଇଥିଲା । ବିଧାୟକ ଭାବେ ଅମର ନାୟକ ନିର୍ବାଚିତ ହେବାକୁ ବର୍ଷେ ବିତିଲାଣି । ଅମର ସେଭଳି କୌଣସି ବଡ଼ ଧରଣର ମିଶ୍ରଣ ପର୍ବ କରିନାହାନ୍ତି । ଯାହା ଅନ୍ୟ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି । ବିଜେଡି ସହ ଯୋଡ଼ି ହୋଇ ରାଜନୀତି କରିଥିବା ଅମର ପ୍ରାକ୍ତନ ମନ୍ତ୍ରୀ ଅମରଙ୍କୁ ବଡ଼ଚଣାରେ ଖୋଲା ଚ୍ୟାଲେଞ୍ଜ ଦେଇପାରିଥିଲେ । ପଞ୍ଚାୟତ ନିର୍ବାଚନରେ ନିଜର ସମର୍ଥକଙ୍କୁ ଜିତାଇ ଆଣିବାରେ ଅମର ସକ୍ଷମ ହୋଇଥିଲେ । ହେଲେ ଅମରଙ୍କ ଉପସ୍ଥିତିରେ ଭବିଷ୍ୟତ ରାଜନୀତିରେ ଉଜ୍ୱଳମୟ ନୁହେଁ ବୋଲି ବିଶ୍ୱାସ ହେବା ପରେ ଅମର ବିଜେପିରେ ଯୋଗ ଦେଇଥିଲେ । ବିଜେଡି ଅମରଙ୍କୁ ପ୍ରାର୍ଥି ନକରିବା ଏବଂ ବିଜେପି ସପକ୍ଷରେ ଜନମତ ଅମରଙ୍କୁ ବିଧାନସଭା ଯିବାର ବାଟ ଦେଖାଇଥିଲା । ରାଜନୀତିରେ ପୋଖତ ଅମର ବଡ଼ ଧରଣର ମିଶ୍ରଣ ପର୍ବ ମାଧ୍ୟମରେ ବ୍ଲକ ଦଖଲ କରିବା ଲକ୍ଷ୍ୟରେ ରହିଥିବା ବେଳେ ବିଜେଡି ନେତୃତ୍ୱ କନ୍ଦଳ ଏ ଦିଗରେ ବେଶ୍ ସହାୟକ ହେବାକୁ ଯାଉଛି ।