ବିଜେଡ଼ିକୁ ପାଣ୍ଡିଆନ୍ ଫିଭର : ସତ ମାନିବାକୁ ନାରାଜ : ଭୟ ନା ଲୋଭ


 ଭୁବନେଶ୍ୱର : ‘ଶହେ ବୋକାଙ୍କୁ ବୁଝେଇଦେବୁ, ହେଲେ ଜଣେ ଗାଲୁଆକୁ ବୁଝେଇ ପାରିବୁନି’  । ଗାଁ ଗହଳିରେ ଏମିତି କଥା ଆପଣ ବହୁବାର ଶୁଣିଥିବେ  । ଆପଣ ଯଦି ବିଜେଡ଼ି ରାଜନୀତିକୁ ଅନୁଶୀଳନ କରିବେ ତେବେ ଏହାର ନିଚ୍ଛକ ଉଦାହରଣ ପାଇଯିବେ  ।
୧. ଚବିଶ ନିର୍ବାଚନ ପରେ ପରେ ହଠାତ୍ ଶଙ୍ଖ ଭବନରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ବିରୋଧରେ ଗର୍ଜନ ଶୁଭିଲା  । ଭିଡ଼ିଓ ବାର୍ତ୍ତା ଦେଇ ପାଣ୍ଡିଆନ୍ ସନ୍ନ୍ୟାସ ନେଇଗଲେ  । ସେ ଆଉ ବିଜେଡ଼ି କଥା ବୁଝୁନାହାନ୍ତି, ସବୁ ନବୀନ ବାବୁ ବୁଝୁଛନ୍ତି ବୋଲି ବାର୍ତ୍ତା ଦିଆଗଲା  । ନବୀନ ବାବୁ ବି ଚିରାଚରିତ ଢଙ୍ଗରେ ଏମିତି ବାର୍ତ୍ତା ଦେଲେ  । କିନ୍ତୁ ସମସ୍ତେ ଜାଣିଛନ୍ତି ସତ କ’ଣ ? ତଥାପିବି ମାନିବାକୁ ନାରାଜ୍  ।
୨. ୱାକଫ ବିଲ୍ରେ ବିବେକାନୁମୋଦିତ ଭୋଟ୍ ଆଇଡ଼ିଆ କାହାର ? ବିବେକାନୁମୋଦିତ ଭୋଟ୍ ଆଳରେ  ମୋଦି ସରକାରଙ୍କ ସପକ୍ଷରେ ଭୋଟ୍ ଦେବାକୁ କିଏ ନିଦେ୍ର୍ଦଶ ଦେଇଥିଲେ ? ସମସ୍ତେ ଜାଣିଛନ୍ତି ସତ କ’ଣ ? ତଥାପିବି ମାନିବାକୁ ନାରାଜ୍  ।
୩. ଦଳର ପଦାଧିକାରୀ ତାଲିକା ପ୍ରସ୍ତୁତ କରାଗଲା  । ନିର୍ଦ୍ଦିଷ୍ଟ କୋଟରୀ ପାୱାରଫୁଲ୍ ହେଲେ  । ଖାଲି ନାଁକୁ ମାତ୍ର ଭିନ୍ନ ଗୋଠର ଜଣେ ଦି ଜଣଙ୍କ ନାଁ ତାଲିକାରେ ଯୋଡ଼ି ଦିଆଗଲା  । ବୁଝାଇ ଦିଆଗଲା ସବୁ ନବୀନ ବାବୁଙ୍କ ନିଷ୍ପତ୍ତି  । କିନ୍ତୁ ବାସ୍ତବରେ ସମସ୍ତେ ଜାଣିଛନ୍ତି ଏହି ତାଲିକା କାହାର ? ତଥାପିବି ମାନିବାକୁ ନାରାଜ୍  ।
୪. ନବୀନ ବାବୁ କହିଥିଲେ, ସାଢ଼େ ୪ କୋଟି ଓଡ଼ିଆ ମୋର ଉତ୍ତରାଧିକାରୀ ସ୍ଥିର କରିବେ  । ହେଲେ ଓଡ଼ିଆଙ୍କ କଥାକୁ ବିଚାରକୁ ନନେଇ ସେ ହିଁ ବାଛି ସାରିଲେଣି କିଏ ହେବେ ଉତ୍ତରାଧିକାରୀ  । ଆଗକୁ କିଏ ବିଜେଡ଼ିର ଅସଲ ମଙ୍ଗ ଧରିବେ ତାହା ବି ସମସ୍ତେ ଜାଣନ୍ତି  । ତଥାପିବି ମାନିବାକୁ ନାରାଜ୍  ।
୫. ଏବେବି ପାଣ୍ଡିଆନ୍ ନବୀନ ନିବାସରେ ରହି ଦଳର ସବୁ କଥା ବୁଝାଶୁଝା କରୁଛନ୍ତି  । ପୂର୍ବଭଳି ତାଙ୍କର ବିନା ଇସାରାରେ ବିଜେଡ଼ିର ପତ୍ରଟେ ବି ହଲୁନି  । ଏକଥା ସବୁ ନେତା ହୃଦୟଙ୍ଗମ କରୁଛନ୍ତି  । ତଥାପି ନେତାମାନେ ମିଡ଼ିଆ ଉପରେ ଦୋଷ ଲଦୁଛନ୍ତି  । ସେ ସନ୍ନ୍ୟାସ ନେଇସାରିଛନ୍ତି, ଦଳ କଥା ନବୀନ ଆଉ ଅନ୍ୟ ନେତାମାନେ ବୁଝୁଛନ୍ତି  । ମିଡ଼ିଆ ଖାଲି ମିଛୁଟାରେ ପାଣ୍ଡିଆନଙ୍କୁ କାହିଁକି ଟାଣୁଛି ବୋଲି ପ୍ରଶ୍ନ କରୁଛନ୍ତି  । ଏହାର ଉତ୍ତର କ’ଣ ହେବ ?
୬. ଭିକେ ପାଣ୍ଡିଆନ୍ ଓ ତାଙ୍କ ପନôୀଙ୍କୁ ନେଇ ଏକ ଏଆଇ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୂରିବୁଲିଲା  । ତାହା ଟିକେ କଠୋର ଥିଲା  । ଏତେ କଠୋର ବି ଗ୍ରହଣୀୟ ନୁହେଁ  । ହେଲେ ମୋଦି, ରାହୁଲ ଗାନ୍ଧୀଙ୍କ ନାମରେ ୟାଠାରୁ ଅନେକ ସାଂଘାତିକ ଏଆଇ ଭିଡିଓ ପ୍ରସାରିତ ହେଉଛି ତାହାର କଳନା ନାହିଁ  । ହେଲେ ସଙ୍ଗେସଙ୍ଗେ ବିଜେଡ଼ିର ଜଣେ ଟାଣୁଆ ନେତା ଭିଡ଼ିଓ ବାର୍ତ୍ତାରେ ସରକାରଙ୍କୁ ଟାର୍ଗେଟ୍ କଲେ  । ଥାନାରେ ଦଳ ପକ୍ଷରୁ ଏତଲା ବି ଦିଆଗଲା  । କାହିଁକିନା ସେ ଭିଡ଼ିଓର ନ୍ୟାରେଟିଭ୍ ବିଜେଡ଼ିକୁ ବାଧିଥିଲା  । ପ୍ରଶ୍ନ ଉଠେ, ଯଦି ସେ ଆଉ ଦଳରେ ନାହାନ୍ତି କି ଦଳ କଥା ବୁଝୁନାହାନ୍ତି, ଦଳ କାଇଁ ତାଙ୍କ ପାଇଁ ଛାତି ଦେଖାଉଛି ? ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି ଭଳି କଥା ନୁହେଁତ ? ୭. ବିଜେପିର ଜଣେ ବିଧାୟକ ଆଜିକାଲି ପାଣ୍ଡିଆନଙ୍କୁ ଜୋରଦାର ଆଟାକ୍ କରୁଛନ୍ତି  । ଏହାର ଜବାବ ସାଧାରଣତଃ ବାଇଟ୍ ମାଧ୍ୟମରେ ଦିଆଯାଏ  । କିନ୍ତୁ ବିଜେଡ଼ି ଶଙ୍ଖ ଭବନରେ ପ୍ରେସମିଟ୍ରେ ଜବାବ ଦେଲା  । ପୁଣି ପ୍ରଶ୍ନ ଉଠେ, ସେ ତ ଦଳରେ ନାହାନ୍ତି, ଦଳକୁ କାହିଁକି କଷ୍ଟ ହେଉଛି  । ୮. ଆଗାମୀ ଦିନରେ ଦଳର ନେତୃତ୍ୱ ସୁଜାତା କାର୍ତ୍ତିକେୟନ ନେବେ ବୋଲି ଚର୍ଚ୍ଚା ହେଉଛି  । ଯଦି ଅନ୍ୟ ଚର୍ଚ୍ଚାଗୁଡ଼ିକ ବିଜେଡ଼ି ମିଛ ବୋଲି କହୁଛି, ପ୍ରେସମିଟ୍ କରୁଛି କିମ୍ବା ଭିଡ଼ିଓ ବାର୍ତ୍ତା ଜାରିକରୁଛି ଏନେଇ ସ୍ପଷ୍ଟୀକରଣ ରଖୁନି କାହିଁକି ? ଏହି ଚର୍ଚ୍ଚା ସତ ବୋଲି ବୁଝିନେବାକୁ ପଡ଼ିବ କି ? ଏବେ ବିଜେଡ଼ିର କିଛି ଆଗଧାଡ଼ିର ନେତା ପୁଣି ସାରଙ୍କ କ୍ରୀତଦାସ ପାଲଟିଗଲେଣି  । ଏହା ପଛରେ ଥିବା ରହସ୍ୟଟି କ’ଣ ? ତା’ର ଉତ୍ତର ହେଉଛି, ଆଗକୁ ବିଜେଡ଼ି-ବିଜେପି ମେଣ୍ଟର ସମ୍ଭାବନା ରହିଛି  । ନବୀନ ତ ସାରଙ୍କୁ ଛାଡ଼ିବେନି  । ତାହେଲେ ପୁଣି ସେ ହିଁ ଟିକେଟ ଦେବେ  । ଯଦି ସତ କଥା କହିବେ ତାହେଲେ ମୁଣ୍ଡକାଟ୍ ହେବାର ସମ୍ଭାବନା ରହିଛି  । ତେଣୁ ତେଲ ମାରିଲେ କିଛି ନହେଲେ ଭବିଷ୍ୟତରେ କ୍ଷମତା ମିଳିପାରିବ  । ତେଣୁ ଗୋଟିଏ ପଟେ ଡର ଆଉ ଗୋଟେ ପଟେ ଲୋଭ ହିଁ ବିଜେଡ଼ି ନେତାଙ୍କ ମୁହଁରେ ତୁଣ୍ଡି ବାନ୍ଧି ଦେଇଛି  । ହେଲେ ଏମିତି ହେବାରୁ ୨୦୨୪ରେ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିଥିଲେ  । ୨୦୨୯ରେ ତାହାର ପୁନରାବୃତ୍ତି ହେବନି ତ ?