ବଡ଼ଚଣା ବିଜେପିରେ ବିଦ୍ରୋହ; ଦଳ ଛାଡ଼ିଲେ କାର୍ଯ୍ୟକର୍ତ୍ତା
ଯାଜପୁର : ପ୍ରାର୍ଥୀ ଚୟନ ପୂର୍ବରୁ ବଡ଼ଚଣା ବିଜେଡ଼ିରେ ଜବରଦସ୍ତ ବିଦ୍ରୋହ ଦେଖିବାକୁ ମିଳିଥିଲା । ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ଖୋଲା ବିରୋଧ କରିଥିଲେ ଜିଲା ପରିଷଦ ଉପାଧ୍ୟକ୍ଷ ସମେତ ଏକାଧିକ ପଞ୍ଚାୟତ ପ୍ରତିନିଧି ଏବଂ କାର୍ଯ୍ୟକର୍ତା । ତା ଭିତରେ ଆଶାୟୀ ଥିବା ଜନ୍ମେଜୟ ଲେଙ୍କାଙ୍କ ସମର୍ଥକ ବି ଅମରଙ୍କ ପାଇଁ କଣ୍ଟା ହୋଇଥିଲେ । କଂଗ୍ରେସରୁ ଇସ୍ତଫା ଦେଇଥିବା ରାଜନାରାୟଣ ମହାପାତ୍ର ବିଜୁ ଜନତା ଦଳରେ ସାମିଲ ପରେ ବିଧାୟକ ଅମରଙ୍କ ପତ୍ତା କଟୁଥିବା ଜଣାପଡ଼ିଯାଇଥିଲା । ଶେଷରେ ବିଜେଡ଼ି ଅମରଙ୍କ ବାଦ ସିନେ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶନୀଙ୍କୁ ପ୍ରାର୍ଥୀ ଘୋଷଣା କଲା ।
ବିଧାୟକ ଅମରଙ୍କୁ ବାଦ୍ ଦେଲେ ଦଳୀୟ ପ୍ରାର୍ଥୀ ବର୍ଷାଙ୍କ ପଛରେ ବଡ଼ଚଣା ବିଜେଡ଼ି ଗୋଟିଏ ହୋଇ କାର୍ଯ୍ୟ କରୁଥିବା ବେଳେ ହଠାତ ବିଜେପିରେ ବିଦ୍ରୋହ ଦେଖିବାକୁ ମିଳିଛି । ବିଜେପି ପ୍ରାର୍ଥୀ ଅମର ନାୟକଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୁଷ୍ଟ ହୋଇପଡ଼ିଥିବା ଦଳର କାର୍ଯ୍ୟକର୍ତା ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବା ସହ ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କୁ ପଠାଇଛନ୍ତି । ଇସ୍ତଫା ଦେଇଥିବା କାର୍ଯ୍ୟକର୍ତା ମଧ୍ୟରେ ୨୦୧୪ର ବିଧାୟୀକା ପ୍ରାର୍ଥୀ ତଥା ପ୍ରାକ୍ତନ ମହିଳା ମୋର୍ଚ୍ଚା ନେତ୍ରୀ ସୀମନ୍ତିନୀ ଜେନା ରହିଥିବା ବେଳେ ଛତିଆ ସରପଞ୍ଚ ରମେଶ ପୃଷ୍ଟି, ସବିତା ଜେନା, ଷ୍ଟେଟ କାଉନସିଲ ମେମ୍ବର ରମାକାନ୍ତ ରାଉତ୍, ପ୍ରଦୀପ ଜେନା, ଯୁବ ମୋର୍ଚ୍ଚାର ନିହାର ରଂଜନ ସାମଲ, ଧୁଳେଶ୍ୱର ଦାସ, ରବିନ୍ଦ୍ରନାଥ ସାହୁ, କେଶବ ଚନ୍ଦ୍ର ଦାସ, ଅନନ୍ତ କିଶୋର ଶେଣ୍ଢ ପ୍ରମୂଖ ରହିଛନ୍ତି । ନିଜର ଇସ୍ତଫା ପତ୍ରରେ ଏମାନେ ଦର୍ଶର୍ାଇଛନ୍ତି କି ବଡ଼ଚଣା ବିକାଶ ପାଇଁ ବିଶ୍ୱାସର ସହ ପ୍ରତ୍ୟେକ ମୁହୂର୍ତରେ ଦଳ ପାଇଁ କାର୍ଯ୍ୟ କରିଛୁ । କିନ୍ତୁ ବଡ଼ଚଣା ବିଜେପି ଦାୟୀତ୍ୱରେ ଥିବା ପ୍ରତିନିଧି ବରିଷ୍ଠ ମାନଙ୍କୁ ଅସମ୍ମାନ କରିବା ସହିତ ନିଜର ଅସ୍ପଷ୍ଟ କାର୍ଯ୍ୟକଳାପ ଯୋଗୁ ଦଳର ବହୁ ସାଂଗଠନିକ କ୍ଷତି ଘଟିଛି । ଗତ ପଞ୍ଚାୟତ ନିର୍ବାଚନରେ ବଡ଼ଚଣା ପଞ୍ଚାୟତ ସମିତି ଗଠନର ନିଶ୍ଚିନ୍ତତା ସୃଷ୍ଟି ହୋଇଥିଲେ ବି ନେତୃତ୍ୱଙ୍କ ମନମାନିରୁ ତାହା ହୋଇପାରିଲାନି । ଏପରିକି ଦଳ ପକ୍ଷରୁ ଅଧ୍ୟକ୍ଷ ପ୍ରାର୍ଥୀ ମଧ୍ୟ ଦିଆଗଲାନି । ଏକଥା ଦଳର ଉଚ୍ଚତର୍କୁପକ୍ଷଙ୍କୁ ଅବଗତ କରାଯାଇଥିଲେ ହେଁ କେହି କିଛି କର୍ଣ୍ଣପାତ କଲେନି କି ଆମ୍ଭ ମାନଙ୍କ ସହଆଲୋଚନା କଲେନି । ଆମେ ଦଳରେ ଅଣନିଶ୍ୱାସୀ ହୋଇ ରହିବା ଅପେକ୍ଷା ଦଳ ଛାଡ଼ିବାକୁ ଶ୍ରେୟ ମନେ କଲୁ । ଉପରୋକ୍ତ କାର୍ଯ୍ୟକର୍ତା ବିଜେପି ଛାଡ଼ିବା ଦଳ ଉପରେ କି ପ୍ରଭାବ ପକାଇବ ତାହାତ ସମୟ କହିବ, କିନ୍ତୁ ବଡ଼ଚଣାରେ କେବଳ ବିଜେଡ଼ି ନୁହେଁ ବିଜେପିରେ ବି ଅସନ୍ତୁଷ୍ଟ ରହିଛନ୍ତି, ତାହା ଜଣାପଡ଼ିଯାଉଛି । ଦଳ ଛାଡ଼ିଥିବା କାର୍ଯ୍ୟକର୍ତା କୈାଣସି ଦଳକୁ ଯିବାର ସ୍ପଷ୍ଟ କରିନଥିଲେ ହେଁ ବିଜେଡ଼ିରେ ଯୋଗ ଦେବାର ସମ୍ଭାବନା ରହିଛି ।