ହାଇୱା ଚକାତଳେ ପଶିଗଲା ବାଇକ୍; ଜଣେ ମୃତ, ୨ ଗୁରୁତର

ପାଣିକୋଇଲି: ଡ଼ିଭାଇଡ଼ରରେ ପିଟି ହୋଇ ହାଇୱା ଚକାତଳେ ପସିଗଲା ବାଇକ । ଆଉ ବାଇକରେ ଥିବା ୩ଜଣଙ୍କ ମଧ୍ୟରୁ ଘଟଣା ସ୍ତଳରେ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଗୁରୁବାର ଅପରାହ୍ନରେ ଏଭଳି ମର୍ମଦୁନ୍ତ ଘଟଣା ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁର-ଯାଜପୁର ରାସ୍ତାର ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିକଟରେ ଘଟିଛି । ଖବର ଅନୁଯାୟୀ ଯାଜପୁର ଟାଉନ ପଟୁ ଏକ ହାଇୱା ସଠିପୁର ଅଭିମୁଖେ ଦ୍ରୁତଗତିରେ ଆସୁଥିଲା । ବିଞ୍ଝାରପୁର ଅଂଚଳର ଏକ ବାଇକରେ ୩ଜଣ ସଠିପୁରରୁ ଯାଜପୁର ଯାଉଥିବା ବେଳେ ରଙ୍ଗ ରୁଟରେ ଭାରସାମ୍ୟ ହରାଇ ଡିଭାଇଡରେ ପିଟି ହୋଇ ହାଇୱା ଚକା ତଳେ ପଡିଥିଲେ । ଫଳରେ ଘଟଣାସ୍ଥଳେ ଶିତଳେଶ୍ୱରର ପ୍ରମୋଦ କୁମାର ବେହେରାଙ୍କ ମୃତୁ୍ୟ ଘଟିଥିବା ବେଳେ ପ୍ରୀତିପୁରର ଗଦାଧର େବେହରା ଓ ମଇଦାଁ ବରୁଣେଶ୍ୱର ଲେଙ୍କା ସାହିର ତ୍ରିଲୋଚନ ବେହେରା ଗୁରୁତର ହୋଇଥିଲେ । ମୃତକକୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଯାଜପୁର ପଠାଯାଇଥିବା ବେଳେ ଗୁରୁତର ଆହତ ଦ୍ୱୟଙ୍କୁ୧୦୮ଆମ୍ବୁଲାନ୍ସ ଯୋଗେ ଯାଜପୁର ପଠାଯାଇଥିଲା । ହେଲେ ସେମାନଙ୍କ ବେଳେ ସେମାନଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷେ ଲାଇଟ ଓ ହମ୍ସ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତା ରୋକ କରିଥିଲେ । ରାସ୍ତାରୋକ ଖବର ପାଇ ପାଣିକୋଇଲି ଥାନାଧିକାରୀ ରଂଜିତ ମହାନ୍ତି, ଏସଡିପିଓ ସଂଜୟ କୁମାର ପଟ୍ଟନାୟକ ଓ ଯାଜପୁର ତହସିଲଦାର ଅରବିନ୍ଦ ବେହେରା ଘଟଣାସ୍ଥଳେ ପହଁଚି ଉତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ । ଲୋକଙ୍କ ଦାବି ଅନୁଯାଇ ସେଠାରେ ଏକ ଲାଇଟ ପୋଷ୍ଟ, ଉଭୟ ପଟରୁ ହମ୍ପ୍ସ ନିର୍ମାଣ କରିବାର ପ୍ରତିଶୃତି ସହ ରେଡକ୍ରସରୁ ସହାୟତା ଘୋଷଣା କରାଯାଇଥିଲା । ଫଳରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ ହଟାଇଥିଲେ । ପୁଲିସ ହାଇୱା ଓ ବାଇକକୁ ଜବତ କରି ତଦନ୍ତ ଜାରି ରଖିଛି ।