ବିଜେପି ପାଇଁ ୨୦୨୫ ଉଭୟ ସମ୍ମାନ ଓ ଆହ୍ୱାନର ବର୍ଷ ହେବ

ଭୁବନେଶ୍ୱର: ରାଜନୈତିକ ଦୃଷ୍ଟିକୋଣରୁ ବିଦାୟୀ ୨୦୨୪ ବର୍ଷ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ପାଇଁ ଉଭୟ ତିକ୍ତ-ମଧୁର ଅନୁଭୂତି ଦେଇଥିବା ବେଳେ ୨୦୨୫ ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ଆହ୍ବାନ, ସଂଘର୍ଷ ଓ ସମ୍ମାନର ବର୍ଷ ହେବ। ଗତ ସାଧାରଣ ନିର୍ବାଚନରେ ଅପ୍ରତ୍ୟାଶିତ ବିଜୟ ପାଇଥିବା ବିଜେପି ପାଇଁ ୨୦୨୫ ଉଭୟ ସମ୍ମାନ ଓ ଆହ୍ୱାନର ବର୍ଷ ହେବ। ବିଶେଷକରି ସରକାର ଗଠନ ପରେ ବିଜେପି ୨୦୨୪ ବିଭିନ୍ନ ପ୍ରସଙ୍ଗରେ ଅନେକ ସମାଲୋଚନାର ଶିକାର ହୋଇଛି ଓ ମନ୍ତ୍ରୀମାନେ ଲୋକମାନଙ୍କର ଆସ୍ଥାଭାଜନ ହୋଇ ପାରିନାହାନ୍ତି। ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ସର୍ବୋପରି ଯୋଜନା କାର୍ୟ୍ୟକାରିତାରେ ଗଳାବାଟ ଦଳ ପାଇଁ ସାଧାରଣରେ ନକରାତ୍ମକ ମାହୋଲ ସୃଷ୍ଟି କରିଛି। ମନ୍ତ୍ରୀମାନଙ୍କ ବୟାନବାଜି, ଦଳୀୟ ନେତାଙ୍କ ମଧ୍ୟରେ ଛକାପଞ୍ଝା, ଉନ୍ନୟନମୂଳକ କାମ ବନ୍ଦ ପାଇଁ ସାଧାରଣରେ ଭୁଲ ବାର୍ତ୍ତା ଯାଇଥିବା ବେଳେ ଦଳର ଲୋକପ୍ରିୟତା ବଜାୟ ରଖିବା ଏବେ ଦଳ ପାଇଁ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି। ସେହିପରି ଜାନୁଆରୀ ମାସରେ ଦଳର ନୂଆ ସଭାପତି ନିର୍ବାଚନ ହେବାର ଥିବାରୁ ଭାରସାମ୍ୟ ରକ୍ଷା ନିମନ୍ତେ ସମସ୍ତଙ୍କ ପାଇଁ ଗ୍ରହଣୀୟ ସଭାପତି ବାଛିବା ଦଳ ପାଇଁ ଆହ୍ୱାନ ହେବ ।