ଦାଦା ବଟି ମାଗୁଛନ୍ତି ବିଜେପି ଜିଲ୍ଲା ସଭାପତି 

 ଭୁବନେଶ୍ୱର: ଟଙ୍କା ଦିଅ ନହେଲେ ଏଠୁ ବିଦା ହୁଅ । ସୁନା ଦୋକାନୀଙ୍କୁ ଲକ୍ଷେ, ମିଲରଙ୍କୁ ଦୁଇ ଲକ୍ଷ ଓ ଶିଳ୍ପାନୁଷ୍ଠାନମାନଙ୍କୁ ପାଞ୍ଚ ଲକ୍ଷ ଦାବି କରୁଛନ୍ତି ବିଜେପିର ଜିଲ୍ଲା  ସଭାପତି । ରାୟଗଡ଼ା ଜିଲ୍ଲା ସଭାପତି ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଧମକ ଦେଇ ମୋଟା ଅଙ୍କର ମାସିକ ଚାନ୍ଦା ଆଦାୟ ଆରମ୍ଭ କରିଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଶଙ୍ଖଭବନରେ ସାମ୍ୱାଦିକ ସମ୍ମିଳନୀ କରି ଦଳର ମୁଖପାତ୍ର ପ୍ରଦୀପ ମାଝୀ ଏଭଳି ଅଭିଯୋଗ କରିଛନ୍ତି ।  ଅଭିଯୋଗ ଅନୁଯାୟୀ,  ମାସେ ତଳେ ନିଯୁକ୍ତି ହୋଇଥିବା ବିଜେପିର ଜିଲ୍ଲା ସଭାପତି ଗୋପୀ ଆନନ୍ଦ ଗତ କିଛିଦିନ ହେଲା ଜିଲ୍ଲାର ବ୍ୟବସାୟୀମାନଙ୍କ ଠାରୁ ଜୋର୍ ଜବରଦସ୍ତ ଚାନ୍ଦା ଦାବି କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି । ସୁନା ଦୋକାନୀଙ୍କଠାରୁ ଏକ ଲକ୍ଷ,  ମିଲରମାନଙ୍କଠାରୁ ଦୁଇ ଲକ୍ଷ ଓ ଶିଳ୍ପଅନୁଷ୍ଠାନ ଗୁଡିକରୁ ପାଞ୍ଚ ଲକ୍ଷ ଟଙ୍କା ସେ ଦାବି କରୁଛନ୍ତି । ଚାନ୍ଦା ଟଙ୍କା ନଦେଲେ ବ୍ୟବସାୟ ବନ୍ଦ କରି ଦିଆଯିବ ବୋଲି ଧମକ ବି ଦେଉଛନ୍ତି । ଶ୍ରୀ ଆନନ୍ଦ ଜଣେ ଓକିଲ । ଆନନ୍ଦଙ୍କ ଏହି ଆଚରଣରେ ଅତିଷ୍ଠ ହୋଇ ରାୟଗଡାର ବ୍ୟବସାୟ ସଙ୍ଘ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଫେରାଦ ହୋଇ ସମ୍ପୃକ୍ତ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।