ଦଶରଥପୁରରେ ବିଜେପି ପାଞ୍ଚ ଫାଳ

 ଦଶରଥପୁର : ସାଧାରଣ ନିର୍ବାଚନକୁ ବର୍ଷେ ପୁରିବାକୁ ଯାଉଛି । ୨୪ବର୍ଷର ବିଜେଡ଼ି ସରକାରକୁ ମାତ ଦେଇ ବିଜେପି ସରକାର ଗଠନ କରିଛି । ସରକାର ବର୍ଷକ ସଫଳତାର ରିପୋର୍ଟ କାର୍ଡ଼ ଲୋକଙ୍କ ପାଖରେ ଉପସ୍ଥାପନ କରିବାକୁ ଯାଉଥିବା ବେଳେ, ଯାଜପୁରରେ କିନ୍ତୁ ବିଜେପି ଅବସ୍ଥା ସୁଧୁରିବା ବଦଳରେ ବେହାଲ୍ ହେବାରେ ଲାଗିଛି । ବିଶେଷକରି ଯାଜପୁର ବିଧାନସଭା କ୍ଷେତ୍ରରେ ବିଜେପି ସୁଦୃଢ଼ ବେହା ପରିବର୍ତ୍ତେ ରସାନ୍ତଳଗାମୀ ହେଉଥିବାର ଲକ୍ଷ୍ୟ କରାଯାଇଛି । 
ଏଠାରେ ବିଜେପିରେ ନେତା ଓ କାର୍ଯ୍ୟକର୍ତ୍ତା ଦଳକୁ ସୁଦୃଢ଼ କରିବା ପରିବର୍ତ୍ତେ ଗୋଷ୍ଠି କନ୍ଦଳରେ ଲିପ୍ତ ହୋଇ ପରସ୍ପରର ଗୋଛି କାଟିବାରେ ଲାଗିପଡ଼ିଛନ୍ତି । ଗତ ବିଧାନସଭା ନିର୍ବାଚନରେ ଯାଜପୁର ବିଧାନସଭା ଆସନରେ ବିଜେପି ପକ୍ଷରୁ ଗୌତମ ରାୟ ନିର୍ବାଚନ ଲଢ଼ିଥିବା ବେଳେ ମାତ୍ର ୨୫୦୦ଭୋଟ୍ରେ ବିଜେଡତର ସୁଜାତା ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ । ନିର୍ବାଚନରେ ବିଜେପିର କାର୍ଯ୍ୟକର୍ତ୍ତା ମାନଙ୍କୁ ଏକାଠି କରିବାରେ ଗୌତମ ସଫଳ ନହେବାରୁ ପରାଜୟ ଘଟିଥିଲା । ତେବେ ପରାଜୟ ପରେ ଗୌତମ ସଂଗଠନ ଜାରି ରଖିଥିବା କଥା  କହୁଥିବା ବେଳେ, ପ୍ରକୃତରେ ବିଜେପିର ସଂଗଠନ ଆସ୍ତେ ଆସ୍ତେ ଅବକ୍ଷୟ ହେବାରେ ଲାଗିଛି । କିଛି ହାତଗଣତି କର୍ମୀଙ୍କୁ ନେଇ ଗୌତମ ଏକ ଗୋଷ୍ଠୀ ତିଆରି କରି ସରକାରୀ ଅଫିସ୍ ଠାରୁ ସାଧାରଣରେ ନିଜର ପତିୟାରା ବୃଦ୍ଧି ପାଇଁ ଚେଷ୍ଟିତ ଅଛନ୍ତି । କିନ୍ତୁ ଜିଲା ସଭାପତି ପଦରୁ ଗୌତମ ବିଦା ହେବା ଏବଂ ତାଙ୍କ ଅନୁଗତ ବବିତା ମଲ୍ଲିକଙ୍କ ବଦଳରେ ଦେବଜାନୀ ପ୍ରଧାନଙ୍କୁ ସଭାନେତ୍ରୀ ଭାବେ ନିଯୁକ୍ତି ଘୋଷଣା ପୂର୍ବତନ ସଭାପତିଙ୍କୁ ରାଜନୈତିକ ଝଟ୍କା ଲାଗିଥିଲା । ଗୌତମଙ୍କୁ ଚେକ୍ ଦେବା ପାଇଁ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ଉପ-ସଭାପତି ସଂଗ୍ରାମ କେଶରୀ ପାତ୍ର ଏକ ଯୁବ ଗୋଷ୍ଠୀଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରୁଛନ୍ତି । ଏମାନଙ୍କୁ ଛାଡ଼ି ଜିଲା ବିଜେପିର ଉପ-ସଭାପତି ଥିବା ମୃତୁ୍ୟଞ୍ଜୟ ମିଶ୍ର ଆଉ ଏକ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି । ଆଉ ରାଜ୍ୟ କୃଷକ ମୋର୍ଚ୍ଚାର ଉପ-ସଭାପତି ପୁଲିନ୍ ପ୍ରକାଶ ପୁହାଣ ମଧ୍ୟ ଏକ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି । ଏମାନଙ୍କୁ ଛାଡ଼ି ୩୦ବର୍ଷର ପୁରୁଣା ବିଜେପି କାର୍ଯ୍ୟକର୍ତ୍ତା  ୪ ଗୋଷ୍ଠି ଠାରୁ ସମ୍ପୂର୍ଣ୍ଣ ଦୂରେଇ ନିଜସ୍ୱ ଢଙ୍ଗରେ ସଂଘ ସହ ସୁସମ୍ପର୍କ ଓ ସଙ୍ଘୀୟ ଢାଞ୍ଚାରେ ଦଳର ସଂଗଠନକୁ ଆଗେଇ ନେବା ପାଇଁ ଚେଷ୍ଟା ଜାରିରଖିଛନ୍ତି । ଏପରିଭାବେ ବିଜେପି ପାଞ୍ଚ ଭାଗରେ ବିଭକ୍ତ ହୋଇ ପରସ୍ପର ବିରୁଦ୍ଧରେ କାର୍ଯ୍ୟ କରୁଥିବା ବେଳେ ସେପଟେ ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେଡ଼ି ନିର୍ବାଚନ ପର ଠାରୁ ସ୍ଥିର ରହିଛି । ବିଜେଡ଼ି ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ ଅତି ସୁଚିନ୍ତିତ ଢଙ୍ଗରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ବିଜୟ ନିମନ୍ତେ ଗୁପ୍ତ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରୁଥିବା ବେଳେ ବିଜେପି ଗୋଷ୍ଠୀ କନ୍ଦଳରେ ଲିପ୍ତ ରହିଛି ।  ବିଜେପିର ଏପରି ଅବସ୍ଥା ଯଦି ଲାଗ ରହେ ତାହା ହେଲେ ଦଳ ପଞ୍ଚାୟତ ନିର୍ବାଚନରେ ଦଶରଥପୁର ବ୍ଲକରେ ମାଟି କାମୁଡ଼ିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।