ଦିଲ୍ଲୀରେ ବିଜେପି ସାଂସଦଙ୍କ ବୈଠକ
ଭୁବନେଶ୍ୱର : ରାଜ୍ୟ ବିଜେପିର ସବୁ ପାୱାରଫୁଲ୍ ନେତା ଏବେ ନୂଆଦିଲ୍ଲୀରେ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେ ସବୁ ବିଜେପି ସାଂସଦ ଦିଲ୍ଲୀରେ ଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି ବି ଉପସ୍ଥିତ ଅଛନ୍ତି । ଖାଲି ଉପରାଷ୍ଟ୍ରପତି ନିର୍ବାଚନ ନୁହେଁ ବରଂ ମୋହନ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ନିଗମ ଅଧ୍ୟକ୍ଷ ନିଯୁକ୍ତି ଓ ସାଂସଦମାନଙ୍କ ଅଭିଯୋଗ ସଂକ୍ରାନ୍ତରେ ଆଜି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।
ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବାସଭବନରେ ଆଜି ବିଜେପି ସାଂସଦମାନଙ୍କ ବୈଠକ ବସିଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମାର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ସମସ୍ତ ରାଜ୍ୟସଭା ଓ ଲୋକସଭା ସାଂସଦମାନେ ବୈଠକରେ ସାମିଲ୍ ହୋଇଥିଲେ । ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନ ଓ ଭୋଟିଂ ଉପରେ ଆଲୋଚନା ହେବା ସହ ସମସ୍ତେ ଯେଭଳି ଉପସ୍ଥିତ ରହିବେ ତାହା ସୁନିଶ୍ଚିତ କରାଯାଇଥିଲା । ବିଭିନ୍ନ ରାଜ୍ୟ ପାଇଁ କେନ୍ଦ୍ରୀୟ ବିଜେପି ପକ୍ଷରୁ ଏହି ଦାୟିତ୍ୱ ଦିଆଯାଇଛି ।
ଏହି ଅବସରରେ ସେ ସାଂସଦମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ନିର୍ବାଚନମଣ୍ଡଳୀର ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଦୁଇଦିନିଆ ଦିଲ୍ଲୀଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଅନେକ କେନ୍ଦ୍ରୀୟ ନେତାଙ୍କ ସହ ସଂଗଠନ ଓ ସରକାରରେ ସୁମନ୍ୱୟ ରକ୍ଷା ନେଇ ଆଲୋଚନା କରିଛନ୍ତି ।