ବିଜେପି ପାଳିବ ‘ହର ଘର ତ୍ରିିରଙ୍ଗା’
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନିର୍ଦେଶକ୍ରମେ ଦେଶ ପାଇଁ ପ୍ରାଣବଳି ଦେଇଥିବା ଓ କାରାବରଣ କରିଥିବା ବ୍ୟକ୍ତିଙ୍କୁ ସ୍ମରଣ ପାଇଁ ଆସନ୍ତା ୯ରେ କ୍ରାନ୍ତି ଦିବସ ପାଳନ କରାଯିବ। ଏହି ଅବସରରେ ପ୍ରତ୍ୟେକ ଜିଲାରେ ସାଇକଲ ଯାତ୍ରା, ପଦଯାତ୍ରା, ବାଇକ୍ ରାଲି ଅନୁଷ୍ଠିତ ହେବ। ସେହିପରି ୧୧ ରୁ ୧୪ ତାରିଖ ପର୍ୟ୍ୟନ୍ତ ତ୍ରିରଙ୍ଗା ଯାତ୍ରା, ସ୍ୱଚ୍ଛତା ଅଭିଯାନ, ୧୩ ରୁ ୧୫ ଅଗଷ୍ଟ ପର୍ୟ୍ୟନ୍ତ ପ୍ରତ୍ୟେକ ଘର ଓ ଅନୁଷ୍ଠାନରେ ‘ହର୍ ଘର ତ୍ରିରଙ୍ଗା’ ଉତ୍ତୋଳନ କରାଯିବା ସହିତ ମହାପୁରୁଷ ଏବଂ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଓ ସ୍ମାରକୀରେ ମାଲ୍ୟାର୍ପଣ କରାଯିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୧୪ ଅଗଷ୍ଟକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବା ସହିତ ସନ୍ଧ୍ୟାରେ ନିରବ ଶୋଭାଯାତ୍ରା ଅନୁଷ୍ଠିତ ହେବ। ୧୬ରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ପାଳନ କରାଯିବା ସହିତ ୧୯ରେ ରକ୍ଷାବନ୍ଧନ ଉତ୍ସବ ମଣ୍ଡଳସ୍ତରରୁ ରାଜ୍ୟ ପର୍ୟ୍ୟନ୍ତ ପାଳନ କରାଯିବ। ରାଜ୍ୟବାସୀ ସମସ୍ତ କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ନିବେଦନ କରିଛନ୍ତି ।